ଦେଶରେ କରୋନା ସଂକ୍ରମଣ ପୂର୍ବ ରେକର୍ଡ ଭାଙ୍ଗିଲା । ନିୟନ୍ତ୍ରଣର ବାହାରକୁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି । ପାଖା ପାଖି ସାଢେ ୬ ମାସ ପରେ ପୁଣି କରୋନା ଆତଙ୍କ ଭାରତରେ ସବୁ ରେକର୍ଡ ଭାଙ୍ଗିଛି ।
ଗତ ୨୪ ଘଂଟାରେ ଦେଶରେ ୧,୦୩,୫୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୪୭୮ ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୯,୦୬୭ରେ ପହଞ୍ଚିଛି। ଏହାସହ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୬୫,୧୦୧ ରେ ପହଂଚିଛି । ଗତବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ କରୋନା କେସ ଚିହ୍ନଟ ହୋଇଥିଲା । ୯୭ ହଜାର ୮୯୪ଟି କେସ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବାବେଳେ ଆଜିର ସଂକ୍ରମଣ ରେକର୍ଡ ସଂଖ୍ୟକ ବୋଲି ଜଣାପଡିଛି । ଗତବର୍ଷ ତୁଳନାରେ ଏବର୍ଷ କରୋନା ଅଧିକ ଭୟଙ୍କର ଓ କ୍ଷତିକାରକ ମନେ ହେଉଛି। କାରଣ ଗତବର୍ଷ ତୁଳନାରେ ଏଥର କରୋନା ସଂକ୍ରମଣ ୭ ଗୁଣା ଅଧିକ ହୋଇଛି। ସେହିପରି କରୋନା ସାପ୍ତାହିକ ମୃତ୍ୟୁ ସଂଖ୍ୟା ୫୯ ପ୍ରତିଶତ ବୃଦ୍ଧି ପାଇଛି।
କେବଳ ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟାରେ ୫୭ ହଜାରରୁ ନୂଆ ମାମଲା ନଜର ଆସିଥିବାବେଳେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଛି ।