ଯେଉଁ ଜିନିଷର ଡର ଥିଲା, ତାର ପ୍ରତିଫଳନ ଦେଖିବାକୁ ମିଳିଲା । କରୋନା ଭାଇରସର ନୁଆ ଷ୍ଟ୍ରେନକୁ ନେଇ ଚର୍ଚ୍ଚା ଭିତରେ ଭାଇରସର ଏହି ନୁଆ ପ୍ରକାର ଭାରତରେ ଦେଖିବାକୁ ମିଳିଛି । ନୁଆବର୍ଷ ଆଗରୁ ଏଭଳି ଖବର ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । କାରଣ ଭାଇରସର ଏହି ନୁଆ ଷ୍ଟ୍ରେନ୍ ଅଧିକ ମାତ୍ରାରେ ସଂକ୍ରମଣ ବଢାଇବାରେ ସକ୍ଷମ । କମୁଥିବା କରୋନା ସଂକ୍ରମଣର ସଂଖ୍ୟା ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଏହି ନୁଆ ଖବର ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ପୁନେ ଲ୍ୟାବ ରେ ପରୀକ୍ଷା ହୋଇଥିବା ଗୋଟିଏ ସାମ୍ପୁଲରେ ନୂଆ ଷ୍ଟ୍ରେନ ଥିବା ଜଣାପଡିଛି । ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ୟୁକେରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୪ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି । ଏହାପରେ ସମସ୍ତ ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା ।
ଏହି ସମସ୍ତ ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଂଟିନ୍ରେ ରଖାଯାଇଛି । ଏହା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଂଚ କରାଯାଇଛି । ସୁଚନା ଅନୁସାରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକ ମାନେ ଖୁବ୍ ସତର୍କତା ସହ ରହିବାକୁ ପରାମର୍ଶ ଦେଇଛନ୍ତି ।