ଆସୁଛି ଆଉ ଏକ ନ୍ୟୁଜ ଚ୍ୟାନେଲ !

ରାଜ୍ୟରେ ଖୁବଶୀଘ୍ର ଏକ ନୁଆ ଚ୍ୟାନେଲ ଆରମ୍ଭ ହେବାକୁ ଯାଉଥିବା ସୁଚନା ମିଳିଛି । ମିଡିଆ ସର୍କଲରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଚ୍ୟାନେଲ ଆସିବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି । ଲାଇସେନସ ମଧ୍ୟ ସଂସ୍ଥା ପକ୍ଷରୁ ହାସଲ କରାଯାଇ ସାରିଛି । ଅପେକ୍ଷା ରହିଛି ଗ୍ରୀନ ସିଗନାଲକୁ । ନୁଆ ଏଡିଟର୍ କିଏ ହେବ ସେନେଇ ଆଲୋଚନା ଚାଲିଥିବା ବେଳେ ଚ୍ୟାନେଲ କେଉଁଠି ଆରମ୍ଭ ହେବ ସେନେଇ ସ୍ଥାନ ନିରୁପଣ ଚାଲିଥିବା କୁହାଯାଉଛି । ରାଜ୍ୟରେ ନୁଆ କରି ଆରମ୍ଭ ହୋଇଥିବା ଏକ ପେପର ନାମରେ ଏହି ନ୍ୟୁଜ ଚ୍ୟାନେଲ ଆସିବ ବୋଲି କୁହାଯାଉଛି । ନିକଟରେ ଗୋଟିଏ ଚ୍ୟାନେଲ ଯାହା ତାର ପ୍ରଥମ ଆନିଭର୍ସରୀ ପାଳିଥିଲା ସେହି ଗ୍ରୁପର ଏହି ଚ୍ୟାନେଲ ହେବ ବୋଲି କୁହାଯାଉଛି । ହେଲେ ଏନେଇ କିଛି ସ୍ପଷ୍ଟ ସୁଚନା ଔପଚାରିକ ଭାବେ ଆସୁନାହିଁ ।

ବଡ କଥା ହେଉଛି ରାଜ୍ୟରେ କୋଭିଡ ସମୟରେ ଗଣମାଧ୍ୟମ ସଂସ୍ଥା ଗୁଡିକ ବିଷମ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ରାଜ୍ୟରେ ନୁଆ ଚ୍ୟାନେଲ ଖୋଲିବା ନିହାତି ଭାବେ ଭଲ ଦିଗକୁ ଇଙ୍ଗିତ କରୁଛି । ତାଠାରୁ ବଡ କଥା ହେଉଛି, ରାଜ୍ୟରେ ସାମ୍ବାଦିକଙ୍କୁ ସାମର୍ଥ୍ୟ ମୁତାବକ ଉଚିତ ପ୍ରାପ୍ୟ ମିଳିବ ବୋଲି ଆଶା କରାଯାଉଛି । କାରଣ ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ସଂସ୍ଥାକୁ ଛାଡିଦେଲେ ଅନ୍ୟ ସଂସ୍ଥା ସବୁ କ୍ଷତିରେ ଚାଲୁଛନ୍ତି । ଲାଭରେ ଚାଲୁଥିବା ଓ ସିରିୟସଲି ଚାଲୁଥିବା କିଛି ସଂସ୍ଥାକୁ ଏକଚାଟିଆ ମନୋଭାବ ଯୋଗୁଁ ଅନେକ ସମୟରେ ସାମ୍ବାଦିକ ତାର ଉଚିତ ପ୍ରାପ୍ୟ ପାଇବାରୁ ବଂଚିତ ହେଉଥିବା କଥା ଚର୍ଚ୍ଚା ହେଛି । ଏପରିକି ନୁଆ ନୁଅ ଟ୍ୟାଲେଂଟ ସାମ୍ନାକୁ ଆସିବା ବଦଳରେ ସେହି ଚିରାଚରିତ ଏବଂ ତଥାକଥିତ ଧାରା ଚାଲିଆସୁଛି । ଯାହା ରାଜ୍ୟରେ ଗଣମାଧ୍ୟମକୁ ଲୋକାଭିମୁଖୀ ଏବଂ ପ୍ରତିଦ୍ୱନ୍ଦ୍ୱିତାପୁର୍ଣ୍ଣ କରିବା ବଦଳରେ ଏକପାଖିଆ ଓ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିସି ସାଜିବାକୁ ବାଧ୍ୟ କରୁଛି ।

ଗୋଟିଏ ସମୟ ଥିଲା ଯେତେବେଳେ ରାଜ୍ୟରେ ଆରମ୍ଭ ହୋଇଥିବା ଦୁଇଟି ନୁଆ ଚ୍ୟାନେଲକୁ ନେଇ ଯଥେଷ୍ଟ ଚର୍ଚ୍ଚା କରାଯାଇଥିଲା । ସେଥିରୁ ଗୋଟିଏ ଚ୍ୟାନେଲ ଚାଲୁଥିବା ବେଳେ ଗୋଟିଏ ବନଦ ହୋଇଯାଇଛି । ସେତେବେଳେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଅବେକ ସାମ୍ବାଦିକ ଦୁର୍ଦ୍ଦିନ ଦେଇ ଗତି କରିଥିଲେ । ଏପରିକି ନିଜ ପରିବାର ପ୍ରତିପୋଷଣ କରିବା ମଧ୍ୟ କିଛି ଜଣଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ହେଲେ ଏବେ ସ୍ଥିତି ବଦଳୁଛି । ରାଜ୍ୟରେ ନୁଆ ନୁଆ ଗଣମାଧ୍ୟମ ସାମ୍ନାକୁ ଆସୁଛି । ‘ଅର୍ଗସ’ ଟେଲିଭିଜନ ଦୁନିଆରେ ପାଦ ଥାପିବାକୁ ଯାଉଥିବା ବେଳେ ଗତ ବର୍ଷକ ଭିତରେ ‘ନନ୍ଦିଘୋଷ’ ଚ୍ୟାନଲ ଏବଂ ‘ସକାଳ’ ଖବରକାଗଜ ଆସିଛି । ଯାହା ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଖୁସି ଖବର ହୋଇ ଆସିଥିଲା । ଏବେ ଆଉ ଏକ ନୁଆ ଚ୍ୟାନେଲ ଅସିବାକୁ ଯାଉଥିବାରୁ ସାମ୍ବାଦିକତା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ବଢିବାକୁ ଯାଉଛି । ତେବେ ଆସୁଥିବା ଚ୍ୟାନେଲ ସବୁ ନିରପେକ୍ଷତାର ସହ କାର୍ଯ୍ୟ କରିପାରିବେ କି ନାହିଁ, ତାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ରହିଛି । ତଥାପି ସାମ୍ବାଦିକତା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଯାହା ସ୍ପଷ୍ଟ ଭାବେ ଜଣାପଡୁଛି । କୁହାଯାଉଛି ‘ସକାଳ ନ୍ୟୁଜ’ ନାଁରେ ରାଜ୍ୟରେ ନୁଆ ଏକ ଚ୍ୟାନେଲ ଅସିବାକୁ ଯାଉଛି । ହେଲେ ଔପଚାରିକ ଭାବେ ଏନେଇ କିଛି ଘୋଷଣା ହୋଇନାହିଁ ।

Comments (0)
Add Comment