କୋହଲିଙ୍କ ପାଇଁ ଟିମ୍ ବାଛିବେ ଦେବାଶିଷ

ଓଡିଆ ପୁଅକୁ ବଡ ଦାୟିତ୍ୱ । ଦେବାଶିଷ ମହାନ୍ତିଙ୍କୁ ଭାରତୀୟ କ୍ରିକେଟ ବୋର୍ଡରେ ମିଳିଛି ଗୁରୁ ଦାୟିତ୍ୱ । ଟିମ ଇଣ୍ଡିଆକୁ ବାଛିବା ଏବଂ ବଛା ବଛା ଟ୍ୟାଲେଂଟକୁ ସାମ୍ନାକୁ ଆଣିବା ଭଳି ଦାୟିତ୍ୱ ଦେବାଶିଷ ମହାନ୍ତିଙ୍କ କାନ୍ଧ ଉପରେ । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ ସମେତ ଚୟନ କମିଟି ପାଇଁ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସୁପାରିଶ କରିଛି । ଅନ୍ୟ ଦୁଇଜଣ ହେଲେ ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା । ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ବିସିସିଆଇ ।

ନିଜର ବୋଲିଂ ଆକ୍ସନ ବଳରେ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିଲେ ଦେବାଶିଷ । ଏପରିକି ବିଶ୍ୱକପର ଲୋଗୋ ମଧ୍ୟ ତାଙ୍କ ବୋଲିଂ ଆକ୍ସନକୁ ନେଇ ହୋଇଥିବା କୁହାଯାଇଥିଲା । ପାକିସ୍ତାନ ବ୍ୟାଟସମ୍ୟାନଙ୍କୁ ଦେବାଶିଷ ମହାନ୍ତି କିଭଳି ପାଣି ପିଆଇଥିଲେ ସେକଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ । ତେଣୁ ଆଗକୁ ଟିମ ଇଣ୍ଡିଆ ପାଇଁ ଭଲ ଭଲ ଖେଳାଳି ଆଉ ନୂଆ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ଦେବାଶିକ୍ଷ ସକ୍ଷମ ହେବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଦେବାଶିଷ ମହାନ୍ତି ଟିମ୍ ଇଣ୍ଡିଆ ପକ୍ଷରୁ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୪୫ଟି ଦିନିକିଆ ମ୍ୟାଚରେ ୫୭ଟି ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ ଦେବାଶିଷ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ୟ୍ୟ କରିଛନ୍ତି ଦେବାଶିଷ । ଆଉ ଏବେ ବିସିସିଆଇ ଚୟନକର୍ତ୍ତା ଭାବେ ନିଯୁକ୍ତ ଦେଇ ଦେବାଶିଷଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦେଇଛି ।

Comments (0)
Add Comment