କବର ନେଲା କୋଡିଏ, ଉଦୟ ହେଲା ଏକୋଇଶ। କ୍ୟାଲେଣ୍ଡରରୁ ଚିରି ଗଲା ୨୦୨୦ର ଫର୍ଦ୍ଦ। ରାତି ପାହିଲା, ସକାଳ ହେଲା। ନୂଆ ସୂର୍ୟ୍ୟୋଦୟ ସହ ଆରମ୍ଭ ହେଲା ନୂଆ ଏକ ବର୍ଷ । ଏ ବର୍ଷ ଆଶାର ବର୍ଷ ହେଉ, ଆକାଂକ୍ଷାର ବର୍ଷ ହେଉ, ହେଉ ବି ଆଶିର୍ବାଦର ବର୍ଷ। ସମାଧି ନେଉ ସଂକ୍ରମଣ, ଭସ୍ମ ହେଉ ଭୂତାଣୁ, ଆଉ ପଜିଟିଭ ଶବ୍ଦର ଅର୍ଥ ସେହି ପଜିଟିଭ ହିଁ ରହୁ, ପଜିଟିଭ ଶୁଣି କେହି ଯେମିତି ଦୂରେଇ ନଯାଆନ୍ତୁ। ବର୍ଷ ୨୦୨୧ ବିଶ୍ୱ ପାଇଁ ବରଦାନ ପାଲଟୁ, ଭ୍ୟାକସିନର ଭଲ ଖବର ମନକୁ ଶାନ୍ତି ଦେଉ ଭୂତାଣୁ ସହ ଲଢିବାକୁ ଶକ୍ତି ଯୋଗାଉ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିଛି ମାନବଜାତି।
ମନେପକାନ୍ତୁ ବିଦାୟୀ ବର୍ଷର ଆଜିର ଦିନକୁ, ଆଜିର ତାରିଖକୁ। ୧୯ ଆଡେଇ ଯେତେବେଳେ ୨୦ ଥିରିଥିରି ଆସୁଥିଲା ଠିକ୍ ସେତିକିବେଳେ ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଚାଲିଥିଲା ପାର୍ଟିର ଧୂମ। ସାଙ୍ଗ, ସେଲଫି, ଶୁଭେଚ୍ଛାରେ ୨୦୨୦କୁ ଆବାହନ କରାଯାଇଥିଲା। ନୂଆବର୍ଷରେ କିଛି ନୂଆ କରିବାକୁ କିଏ ସଙ୍କଳ୍ପ ନେଉଥିଲା ତ କିଏ ଜୀବନକୁ ନେଇ ଭିନ୍ନ ଭିନ୍ନ ଯୋଜନା କରିଥିଲା। ନୂଆ ଆଶା ନେଇ ସମସ୍ତେ ଆଗକୁ ବଢୁଥିଲେ। ସବୁକିଛି ଠିକ୍ ଠାକ୍ ଚାଲିଥିଲା ହେଲେ ଦୁଇ ମାସ ପରେ ଯେ ଏମିତି ଏକ ଦୁଃଖ ଦୁନିଆକୁ ଧସେଇ ପଶିବ କେହି କଳ୍ପନା ବି କରିନଥିଲେ। ମାର୍ଚ୍ଚରୁ ହିଁ ମାଡି ଆସିଲା ମହାମାରୀ । ଚାଇନା ଭୂତାଣୁ ସାରା ବିଶ୍ବରେ ଭୟ ଖେଳାଇ ଦେଲା ଆଉ କରୋନା ପାଇଁ ସବୁଠି ପଡିଥିଲା କବାଟ। ଦେଶରେ ଜାରି ହେଲା ଲକଡାଉନ, ସଟଡାଉନ। ଭାଇରସର ଚେନ ଭାଙ୍ଗିବାକୁ ସରକାର ନେଲେ ବଡ଼ ନିଷ୍ପତ୍ତି। ସତର୍କତା ଲାଗି ଆରମ୍ଭ ହେଲା ଅଭିଯାନ । ସେପଟେ ମାସ ପରେ ମାସ ଗଡି ଚାଲିଥିଲେ ବି ସଂକ୍ରମଣ ପାଇଁ ସମସ୍ତଙ୍କ ସ୍ବପ୍ନ ହେଲା ସଟଡାଉନ।
ତେବେ ଏହି ସଙ୍କଟ ସମୟରେ ଯେଉଁ କେତେ ଦୃଶ୍ୟ ଦେଶକୁ ଦୋହଲାଇ ଦେଇଥିଲା ତାହା ଥିଲା ଶ୍ରମିକଙ୍କ ଆର୍ତ୍ତ ଚିତ୍କାର। ଯେତେବେଳେ ଦେଶରେ ତାଲା ପଡିଥିଲା ସେତେବେଳେ ମାଇଲ ମାଇଲ ବାଟ ଚାଲିଥିଲେ ଶ୍ରମିକ। ଅସରନ୍ତି ରାସ୍ତାର ଅସହାୟ ଯାତ୍ରା ସାରା ଦେଶର ଛାତିକୁ ଓଦା କରିଥିଲା। ତେବେ ମୁକାବିଲା ମୋଡରେ କରୋନା ସହ ଲଢେଇ କରି ବିତି ଯାଇଛି ଗୋଟିଏ ବର୍ଷ । ୟାରି ଭିତରେ ଆମେ ସଚେତନ ହୋଇଛୁ, ମାସ୍କ ପିନ୍ଧା ଶିଖିଛୁ, ହାତ ଧୋଉଛୁ ଆଉ କରୋନା ସହ କେମିତି ବଞ୍ଚିବାକୁ ହୁଏ କୌଶଳ ଶିଖିଛୁ।
ନୂଆବର୍ଷ ଗୋଟେ ବଦଳୁଥିବା କ୍ୟାଲେଣ୍ଡରର ତାରିଖ, ବାର ଓ ବର୍ଷ । ବର୍ଷ ବଦଳେ କେବଳ କାନ୍ଥର କ୍ୟାଲେଣ୍ଡରରେ । ଆଉ ଏହି ପରିବର୍ତ୍ତନକୁ ଆମେ ପାଳୁ ନୂଆବର୍ଷ। ଯାହା ଆଜି ଆସିଛି। ଏବର୍ଷ ଖୁସିର ବର୍ଷ ହେଉ ।