ରାଜ୍ୟରେ କରୋନା ସଂକ୍ରମଣର କମବ୍ୟାକ ସରକାରଙ୍କ ନିଦ ହଜାଇଦେଇଛି । ପୁଣି ଫେରିଛି କଟକଣା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା କଡାକଡି କରାଯାଉଛି । ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।
ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଛନ୍ତି। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍, କନଫରେନ୍ସ କାର୍ୟ୍ୟକ୍ରମକୁ ବାତିଲ୍ କରାଯାଇଛି।
କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା, ଅପେରା ଉପରେ ରୋକ୍ ଲଗାଯାଇଛି।ଏପରିକି ଗହଳି ହେଉଥିବା ଧାର୍ମିକ କାର୍ୟ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍ତ ରାଜନୈତିକ ଶୋଭାଯାତ୍ରା ଓ ଆନ୍ଦୋଳନକୁ ବନ୍ଦ କରିବାକୁ କୁହାଯାଇଛି। କଲ୍ୟାଣ ମଣ୍ଡପରେ ଗହଳି ସମ୍ଭାବନା ଥିବା କାର୍ୟ୍ୟକ୍ରମକୁ ବି ଅନୁମତି ମିଳିବ ନାହିଁ। ସମସ୍ତ ହୋଟେଲରେ କୋଭିଡ୍ ନିୟମର ପାଳନ ସହିତ ସାଇନଟାଇଜର ଓ ମାସ୍କ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।