ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।ତେବେ ଆଜି ମ୍ୟାଚରେ ନିଷାଦ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ସ୍ୱର୍ଣ୍ଣପଦକ ଜିତିବାକୁ ବିଫଳ ହୋଇଥିଲେ ମଧ୍ୟ ସେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ବିଜୟ ପରେ ଏବେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।
ଖାଲି ସେତିକି ନୁହେଁ, ଏଥିସହ ସେ ଏସିଆନ୍ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଅନ୍ୟପଟେ ଏହି ଇଭେଣ୍ଟରେ ୟୁଏସଏର ଖେଳାଳି ଟାଉନସେଣ୍ଡ ଓ ଦାଲାଲ ୱାଇଜ୍ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।ଏହା ପୂର୍ବରୁ ସକାଳେ ଟେବୁଲ୍ ଟେନିସ୍ରେ ଭାବିନା ପଟେଲ୍ ପାରା ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ପ୍ରଥମ ପଦକ ଦେବା ସହ ରୌପ୍ୟ ପଦକ ଜିତିଥିଲେ।