ସବୁଠି ଲକଡାଉନ ହଟିଗଲାଣି, ନୁଆ କଂଟେନମେଂଟ ଜୋନ ଘୋଷଣା ବି ଆଉ ଶୁଣିବାକୁ ମିଳୁନି । ସିନେମା ହଲ୍ ଠାରୁ ଆରମ୍ଭ କରି ମଲ୍ ଯାଏଁ ସବୁଠି ପ୍ରବଳ ଭିଡ । ମଦ ଦୋକାନ ସାମ୍ନାରେ ସୋରିଷ ବୁଣିବାକୁ ଜାଗା ପାଇବେନି । ହେଲେ ଏସବୁ ସ୍ଥାନରେ କରୋନା ବ୍ୟାପିବ ନାହିଁ । ସରକାରଙ୍କ ମାପଦଣ୍ଡକୁ ଯଦି ସମୀକ୍ଷା କରାଯାଏ ତେବେ ଏମିତି କିଛି ଦିଗ ହିଁ ସାମ୍ନାକୁ ଆସିବ । ସବୁଠିକୁ ଯାତାୟତ ପାଇଁ କେନ୍ଦ୍ର ଆଉ ରାଜ୍ୟ ଅନୁମତି ଦେଇ ସାରିଲେଣି । ଜିଲ୍ଲାରୁ ଜିଲ୍ଲା, ରାଜ୍ୟରୁ ରାଜ୍ୟ, ଦେଶ ବାହାରକୁ ମଧ୍ୟ ଅନୁମତି ମିଳୁଛି । ହେଲେ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋକସେବା ଭବନକୁ ପ୍ରବେଶ ପାଇଁ କିନ୍ତୁ ସରକାର ଅନୁମତି ଦେଉନାହାନ୍ତି । ସାମ୍ବାଦିକଙ୍କ ପାଇଁ ଲାଗିଥିବା କଟକଣାକୁ ହଟାଇବା ପାଇଁ ସରକାର ଚିନ୍ତା ହିଁ କରୁନାହାନ୍ତି । ଲାଗୁଛି ରାଜ୍ୟରେ ସମସ୍ତଙ୍କ ଜୀବନ ଶସ୍ତା ଏବଂ ଲୋକସେବା ଭବନରେ ବସୁଥିବା ବାବୁ, ମନ୍ତ୍ରୀଙ୍କ ଜୀବନ ହିଁ ମହଙ୍ଗା ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନକୁ ଯିବା ପାଇଁ କଟକଣା ଲାଗିଛି, ହେଲେ କିଛି ପ୍ରଭାବଶାଳୀ ଠିକାଦାର କିନ୍ତୁ ଅବାଧରେ ଏହି ଶକ୍ତିକେନ୍ଦ୍ରକୁ ଅବାଧରେ ପ୍ରବେଶ କରିପାରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ନମ୍ବର ଗାଡି ଦେଖିଲେ ତ ସଙ୍ଗେ ସଙ୍ଗେ ସିକ୍ୟୁରିଟି ବାଟ ଛାଡିଦେଉଛି । କଥା ଉଠୁଛି, ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେଉନଥିବା ସରକାର ଠିକାଦାରଙ୍କୁ ଅନୁମତି ଦେଉଛନ୍ତି କିଭଳି । କୁହାଯାଉଛି, କିଛି ବାବୁଙ୍କ ଆଶୀର୍ବାଦ ବଳରେ ନିର୍ଦ୍ଦିଷ୍ଟ କିଛି ଠିକାଦାର ଲୋକସେବା ଭବନ ବୁଲିଦେଇ ଆସୁଛନ୍ତି । ଯେଉଁଥିରେ ଉଭୟ ପକ୍ଷଙ୍କର ଲାଭ ହିଁ ଲାଭ ।
ରାଜ୍ୟରେ କରୋନା କଟକଣା ଲାଗିବା ଦିନଠାରୁ ହିଁ ସାମ୍ବାଦିକଙ୍କୁ ଲୋକସେବା ଭବନ ମନା ହୋଇଯାଇଥିଲା । ସେତେବେଳେ ସୁରକ୍ଷାକୁ ନେଇ ଅବଶ୍ୟ ଡର ଥିଲା । ହେଲେ ଏବେ କଣ ସମସ୍ୟା ହେଉଛି? କାହିଁକି ସାମ୍ବାଦିକଙ୍କୁ ଭିତରକୁ ଛାଡିବାକୁ ରାଜ୍ୟ ଗୃହ ବିଭାଗ ନିଷ୍ପତ୍ତି ନେଉନାହିଁ? ଏହାର ଉତ୍ତର ସ୍ପଷ୍ଟ ଭାବେ କେହି ରଖିବାକୁ ଚାହୁଁନାହାନ୍ତି । ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏହିକଥା ଉଠିଥିଲା । ମନ୍ତ୍ରୀ ରଖିଥିବା ଉତ୍ତର କପି ବରିଷ୍ଠ ସାମ୍ବାଦିକ ସବ୍ୟସାଚୀ ଅମିତାଭ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି ।
ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଥିଲା ଉତ୍ତରରେ ଉଲ୍ଲେଖ ଅଛି, କରୋନା ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନକୁ ପଦାଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଉନଥିଲା । କରୋନା ମହାମାରୀର ନିବାରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପର ଏହା ଅଂଶ । ମନ୍ତ୍ରୀଙ୍କ ଏହି ଉତ୍ତର ଆମକୁ ଆଶ୍ଚର୍ଯ୍ୟ କରିଛି । କେବଳ କଣ ସାମ୍ବାଦିକଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ରହୁଛି । ଯେଉଁ ସାମ୍ବାଦିକ କରୋନା ସମୟରେ ସରକାରଙ୍କର ସମସ୍ତ ନିଷ୍ପତ୍ତି ଆଉ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଗୁରୁତ୍ୱ ଦେଲେ ସେମାନେ କଣ କରୋନା ସଂଖ୍ୟାକୁ ବଢାଉଥିଲେ? ନା, ଏହା ପଛର ସ୍ପଷ୍ଟ କାରଣ ହେଲା, ସାମ୍ବାଦିକ ରାଜ୍ୟ ପ୍ରଶାସନର ଗୁରୁତ୍ୱପୁର୍ଣ୍ଣ ସ୍ଥାନକୁ ନଆସିଲେ ଅନେକ ବ୍ୟକ୍ତିଙ୍କର ଲାଭ ଅଛି ଆଉ ସେଥିରେ ନା ସାମ୍ବାଦିକଙ୍କ ପ୍ରଶ୍ନକୁ ସାମ୍ନା କରିବାର ଚିନ୍ତା ନା ସାମ୍ବାଦିକ କୈାଣସି ତଥ୍ୟ କାଳେ ପାଇଯିବେ ତାର ଡର ।
ଏସବୁ କ୍ଷମତାଶାଳୀ ସ୍ଥାନକୁ ସାମ୍ବାଦିକଙ୍କୁ ସିନା ପ୍ରବେଶ ମନା, ହେଲେ କିଛି ନିର୍ଦ୍ଦିଷ୍ଟ ଗାଡି ନମ୍ବର ଥିବା ବ୍ୟକ୍ତି ଏସବୁ ସ୍ଥାନରେ ଯେତେବେଳେ ଚାହିଁବେ ପଶିପାରିବେ । ଏହାର କିଛି ତଥ୍ୟ ଆମ ନିକଟରେ ଉପଲବ୍ଧ ଅଛି । ପରବର୍ତ୍ତୀ ସମୟରେ ଆମେ ତାକୁ ଆପଣଙ୍କ ସାମ୍ନାକୁ ଆଣିବୁ । କିଛି ନିର୍ଦ୍ଦିଷ୍ଟ ଠିକାଦାର ଏବଂ କଂଟ୍ରାକ୍ଟର କିଭଳି ଅବାଧରେ ଯାତାୟତ କରୁଛନ୍ତି, ତାର ତଥ୍ୟ ଉପସ୍ଥାପନ କରିବୁ । ରାଜ୍ୟ ସରକାର ବୋଧହୁଏ ଚାହୁଁଛନ୍ତି ସାମ୍ବାଦିକ ଏବେ କେବଳ ସରକାରୀ ତଥ୍ୟ ଆଉ ପ୍ରେସ ରିଲିଜକୁ ଅପେକ୍ଷା କରନ୍ତୁ । ସୁଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଉଥିବା ୨ ମିନିଟର ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ ରିଲିଜ୍ ହିଁ ସବୁଠି ବ୍ରେକିଂ ନ୍ୟୁଜ । କେହି ପ୍ରଶ୍ନ ପଚାରି ପାରିବେନି କିମ୍ବା କେହି କିଛି ଅନୁସନ୍ଧାନ କରିପାରିବେନି । ବଡ ବିଚିତ୍ର ସ୍ଥିତି ରାଜ୍ୟରେ ଦେଖାଦେଇଛି । ଶାସନ କେମିତି ଚାଲିଛି, ତାର ଉତ୍ତର ମଧ୍ୟ କେହି ଖୋଜିବାକୁ ଚେଷ୍ଟା କରିବେନି । କୈାଣସି ବି ଗଣମାଧ୍ୟମ ସଂସ୍ଥା ଏହାର ପ୍ରତିବାଦ କରୁନାହାନ୍ତି, ନେତା ସବୁ ଦେଖି ଚୁପ୍ ରହୁଛନ୍ତି । ସାମ୍ବାଦିକଙ୍କୁ ସରକାର ଏତେ ଡରୁଛନ୍ତି କଣ ପାଇଁ? ଦୋଷ ଦୁର୍ବଳତା ସାମ୍ନାକୁ ଆସିଯିବାର ଡର ନା ସଂଖ୍ୟାର ଅହମିକା ।