ଅଧୁରା ରହିଯିବ କି ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ସେବାର ସ୍ୱପ୍ନ ? ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । କିନ୍ତୁ ୨୦୧୪ ମସିହାରୁ ମେଟ୍ରୋ ଟ୍ରେନ ପାଇଁ ଅନେକ ପୁଳାପୁଳା ପ୍ରତିଶ୍ରୁତି ଦେଇ ଆସିଛନ୍ତି ରାଜ୍ୟ ସରକାର ।କାହିଁକି ରାଜ୍ୟରେ ମେଟ୍ରୋ ଟ୍ରେନ ପ୍ରକଳ୍ପ କାମ ଆଗକୁ ବଢି ପାରିନି । ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ମେଟ୍ରୋ ଟ୍ରେନ ପ୍ରକଳ୍ପ ଯୋଜନାକୁ ନେଇ ସଂସଦରେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୂଚନା ପରେ ଉଠିଛି ଏମିତି ପ୍ରଶ୍ନ । ଓଡ଼ିଶାରେ ମେଟ୍ରୋ ରେଳ ନେଟ୍ଓ୍ଵାର୍କ ପାଇଁ କୌଣସି ଯୋଜାନା ଅଛି କି ବୋଲି ରାଜ୍ୟସଭାରେ ସାଂସଦ ଅଶ୍ବିନୀ ବୈଷ୍ଣବ ପ୍ରଶ୍ନ ରଖିଥିଲେ । ତେବେ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ଏହାପରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇଥାନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରସ୍ତାବ ଆସିନାହିଁ । ଏନେଇ ରାଜ୍ୟ ସରକାର ପ୍ରାଥମିକ ପଦକ୍ଷେପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ସହାୟତା ଯୋଗାଇ ଦିଆଯାଇଥାଏ।
ବିଧାନସଭାରେ ଅଭିଭାଷଣ ରଖି ସରକାରଙ୍କ ମେଟ୍ରୋ ପ୍ରକଳ୍ପ ଯୋଜନା ସଂପର୍କରେ ୨୦୧୯ ମସିହାରେ ସୂଚନା ଦେଇଥିଲେ ରାଜ୍ୟପାଳ । ଏମିତିକି ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ଉଭୟ ଦଳର ନିର୍ବାଚନୀ ଇସ୍ତାହାରରେ ବି ମେଟ୍ରୋ ଟ୍ରେନ କଟକ ଭୁବନେଶ୍ବରରେ ହେବା ନେଇ ସ୍ଥାନ ପାଇଥିଲା । ହେଲେ ଏବେ ଏହି ପ୍ରକଳ୍ପ ଯୋଜନା ଠପ ହୋଇଛି । ମେଟ୍ରୋ ଟ୍ରେନ ପ୍ରକଳ୍ପ ନେଇ ରାଜ୍ୟ ସରକାର କେନ୍ଦ୍ରକୁ କୈଣସି ପ୍ରସ୍ତାବ ଦେଇ ନଥିବା କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସଂସଦର ଉତ୍ତର ରଖିବା ପରେ ମେଟ୍ରୋ ଟ୍ରେନ ପ୍ରସଙ୍ଗ ରାଜ୍ୟରେ ରାଜନୈତିକ ମଇଦାନକୁ ଫେରିଛି ।