କେନ୍ଦ୍ରାପଡ଼ା ନେତାଙ୍କୁ ଭରସା କରିପାରୁ ନାହାନ୍ତି କି ନବୀନ?


ମନ୍ତ୍ରୀପଡା ଜିଲ୍ଲା ଏବେ ମନ୍ତ୍ରୀଶୂନ୍ୟ । ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଜିଲ୍ଳା କେନ୍ଦ୍ରାପଡ଼ା କଥା ଆମେ କହୁଛୁ । ସାଂପ୍ରତିକ ରାଜନୀତିରେ କେନ୍ଦ୍ରାପଡା ସାଂସଦଙ୍କ ପରେ ବିଜେଡି ରାଜନୀତିରେ ସବୁଠୁ ଅଧିକ ପେଶି ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ବିଧାୟକ । ଦଳରେ ପୂର୍ବଭଳି ଆଉ କେନ୍ଦ୍ରାପଡା ନେତାଙ୍କ ପତିଆରା ନଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ଜିଲ୍ଲା ନେତାଙ୍କ ପ୍ରଭାବ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବେ ମନ୍ତ୍ରୀପଡାର ଆଖ୍ୟା ପାଉଥିବା କେନ୍ଦ୍ରାପଡା ଏବେ ମନ୍ତ୍ରୀଶୂନ୍ୟ ଜିଲ୍ଲା ହୋଇ ରହିଛି । ତେବେ ଏହା ପଛର କାରଣ କଣ ସେ ବାବଦରେ ତର୍ଜମା କରିବାର ଯଥେଷ୍ଟ ଆବଶ୍ୟକତା ମଧ୍ୟ ରହିଛି । ମନ୍ତ୍ରୀପଦ ପାଇଁ ଅଧିକ ଆଶାୟୀ ନା ବିଜେଡି ସୁପ୍ରିମୋଙ୍କ ବିଶ୍ୱାସ ଓ ଭରସା ଜିଣିବାରେ ବିଫଳ । କିଛି ଏଭଳି ଦିଗକୁ ନେଇ ଏବେ ବିଜେଡି ତଥା ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜୁଙ୍କ କର୍ମଭୂମି କେନ୍ଦ୍ରାପଡା ରାଜ୍ୟ ରାଜନୀତିରେ ମନ୍ତ୍ରୀପଡା ଭାବେ ଜଣାଶୁଣା । ଉପକୂଳ ଓଡ଼ିଶାର ଏହି ହାଇଭୋଲଟେଜ ଜିଲ୍ଲାରୁ ନିର୍ବାଚିତ ବିଧାୟକ ରାଜ୍ୟ ରାଜନୀତିର ନୀତି ନିର୍ଦ୍ଧାରକ ସାଜିଥାନ୍ତି । ଏପରିକି ଏକାଥରକେ ଜିଲ୍ଳାରୁ ଏକାଧିକ ମନ୍ତ୍ରୀ କ୍ୟାବିନେଟରେ ସ୍ଥାନ ପାଇଥାନ୍ତି । କିନ୍ତୁ ନବୀନଙ୍କ ପଞ୍ଚମ ପାଳିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲ୍ଲାରୁ କାହାକୁ ବି ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇନାହାନ୍ତି ନବୀନ । ଆଉ ଏହା ପଛର କାରଣ ହେଉଛି ମନ୍ତ୍ରୀପଦ ପାଇଁ ଏକାଧିକ ଆଶାୟୀ । ଆଉ ଏହି ଆଶାୟୀଙ୍କ ଭିତରେ ରହିଛନ୍ତି ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ଶଶୀଭୂଷଣ ବେହେରା । ବିଜେଡି ରାଜନୀତିର ଏହି ୩ ହେଭିୱେଟ ଚେହେରା ମନ୍ତ୍ରୀ ପଦ ପାଇବା ବେଶ ଆଶାବାଦୀ । ୨୦୧୯ ନିର୍ବାଚନ ଜିତିବା ପରେ କେନ୍ଦ୍ରାପଡା କୋଟାରୁ ମନ୍ତ୍ରୀପଦ ପାଇବା ପାଇଁ ନିଜ ନିଜ ସ୍ତରରେ ଜୋରଦାର ଉଦ୍ୟମ କରିଥିଲେ ଏହି ୩ ନେତା । କାରଣ ଏହି ୩ ନେତା ପୂର୍ବରୁ ନବୀନଙ୍କ ଟିମରେ ରହି ଆସିଛନ୍ତି । ତେଣୁ ମନ୍ତ୍ରୀପଦ ଆଶା କିଏ ବା ଛାଡିବ? ତେବେ ମନ୍ତ୍ରୀପଦକୁ ନେଇ ଜିଲ୍ଲା ବିଜେଡି ସଙ୍ଗଠନ ଯେପରି ଭାଗ ଭାଗ ନହେଉ ସେଥିପାଇଁ ବୋଧହୁଏ ୩ ନେତାଙ୍କୁ ଖାଲି ହାତରେ ଫେରାଇଦେବା ସହ କେନ୍ଦ୍ରାପଡା ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରିଥିଲେ ନବୀନ । ଏସବୁ ଭିତରେ ପୁଣିଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀପଦ ହାତେଇବା ପାଇଁ ଆକ୍ଟିଭ ମୋଡକୁ ଆସିଲେଣି ୩ ବିଧାୟକ ।

ଏହାବାଦ୍ ବିଜେଡିର ଅନ୍ଦର ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମନ୍ତ୍ରୀପଦ ପାଇଁ ରେସରେ ଥିବା ଦୁଇ ପ୍ରମୁଖ ଦାବିଦାରଙ୍କୁ ବିଶ୍ୱାସକୁ ନେଇ ପାରୁନାହାନ୍ତି ନବୀନ । ଆଉ ଏହା ପଛର ବଡ କାରଣ ହେଉଛି ୨୦୧୯ ନିର୍ବାଚନ । ୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳିରେ ମହାକାଳପଡା ବିଧାୟକ ଅତୁନ ସବ୍ୟସାଚୀ ନାୟକ ହେଭିୱେଟ ମନ୍ତ୍ରୀର ଦର୍ଜା ପାଇଥିଲେ । ଏପରିକି ଦଳର କ୍ରାଇସିସ ମ୍ୟାନେଜର ଭାବେ ଅତନୁଙ୍କୁ ଖୋଜୁଥିଲା ଦଳ । ବିଭିନ୍ନ ପ୍ରସଙ୍ଗରେ ଦଳ ପାଇଁ ସଙ୍କଟମୋଚକ ସାଜୁଥିଲେ ଅତନୁ । କିନ୍ତୁ ୨୦୧୯ ନିର୍ବାଚନ ଅତୁନଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ ସନ୍ଦେହର କଳାବାଦଲ ଢାଙ୍କିଦେଲା । ନିର୍ବାଚନ ଜିତିଥିଲେ ମଧ୍ୟ ପାୱାର ପଲିଟିକ୍ସରୁ ଅତନୁଙ୍କୁ ଦୂରେଇ ରଖାଗଲା । ବିଜେଡି ଶିବିରରୁ ବ୍ୟାପିନି ପ୍ରତିନିଧିଙ୍କୁ ମିଳିଥିବା ସୂଚନା ମୁତାବକ, ୨୦୧୯ ନିର୍ବାଚନରେ ବିରୋଧୀ କ୍ୟାମ୍ପ ପାଇଁ କାଳେ କାମ କରିଥିଲେ ଅତନୁ । ନବୀନଙ୍କ ଘୋର ବିରୋଧୀ କୁହାଯାଉଥିବା ତଥା ପାଟକୁରା ଆସନରୁ ନିର୍ବାଚନ ଲଢିଥିବା ବିରୋଧୀ କ୍ୟାମ୍ପର ନେତାଙ୍କୁ ଭିତିରିଆ ସମର୍ଥନ ଦେଉଥିବାର ଖବର ସୁପ୍ରିମୋଙ୍କ ନିକଟରେ ପହଞ୍ଚିଥିଲା । ଏପରିକି ପାଟକୁରା ଉପ-ନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଚେକ୍ ଦେବାକୁ ଅତନୁଙ୍କ କ୍ୟାମ୍ପରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବାର କିଛି ଖବର ମଧ୍ୟ ସୁପ୍ରିମୋଙ୍କ କାନରେ ବାଜିଥିଲା । ଆଉ ନବୀନଙ୍କ ସନ୍ଦେହ ରାଡାରରେ ଥରେ ଆସିବା ପରେ ହେଭିୱେଟ ନେତାଙ୍କ ତାଲିକାରୁ ହଟିଥିଲା ଅତନୁଙ୍କ ନାଁ । ଆଉ ଏହାସହ ଅଧାରେ ରହିଯାଇଥିଲା ପୁଣିଥରେ ଅତନୁଙ୍କ ମନ୍ତ୍ରୀପଦ ଫେରି ପାଇବା ଆଶା ।

ସେହିଭଳି ଅନ୍ୟ ଆଶାୟୀ ପ୍ରତାପ ଦେବଙ୍କ ମନ୍ତ୍ରୀପଦରୁ ନାଁ କଟିବା ପଛରେ ମଧ୍ୟ ୨୦୧୯ ନିର୍ବାଚନର ବଡ ଭୂମିକା ରହିଥିବା ବିଜେଡି ଶିବିରରେ ଚର୍ଚ୍ଚା ହୁଏ । କାରଣ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପି ଟିକେଟରୁ ବୈଜୟନ୍ତ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଦଳ କାହାକୁ ସାମ୍ନାକୁ ଆଣିବ ସେଥିପାଇଁ ଅଙ୍କ କଷୁଥିଲା । ବୈଜୟନ୍ତଙ୍କ ବିପକ୍ଷରେ ଜିଲ୍ଲାର ଜଣେ ହେଭିୱେଟ ଚେହେରାକୁ ମୈଦାନକୁ ଓହ୍ଲାଇବାକୁ ବିଜେଡି ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଆଉ ସେତେବେଳେ ପ୍ରତାପ ଦେବଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ବିଜେଡି ଶିବିରରୁ ମିଳିଥିବା ସୂଚନା ମୁତାବକ, ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ପ୍ରତାପଙ୍କ ସହ ଦଳର ଷ୍ଟ୍ରାଟେଜିଷ୍ଟ ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ । କିନ୍ତୁ ବିଜେଡିର ଥିଙ୍କଟ୍ୟାଙ୍କକ ପ୍ରସ୍ତାବକୁ କାଳେ ପ୍ରତାପ ପ୍ରତ୍ୟାଖାନ କରିବା ପରେ ଶେଷରେ ଅନୁଭବଙ୍କ ନାଁରେ ମୋହର ବାଜିଥିଲା । ଆଉ ଏହାର ପ୍ରଭାବ ବୋଧହୁଏ ମନ୍ତ୍ରୀମଣ୍ଡଳ ଗଠନ ସମୟରେ ଦେଖିବାକୁ ମିଳିଥିଲା । ନିର୍ବାଚନ ପୂର୍ବରୁ ଦଳରେ ଗୁରୁଦାୟିତ୍ୱ ତୁଲାଉଥିବା ପ୍ରତାପଙ୍କୁ ମନ୍ତ୍ରୀମଣ୍ଡଳ ଗଠନ ବେଳେ ଏକପ୍ରକାର ସାଇଡଲାଇନ କରାଯାଇଥିଲା । ଶେଷ ପର୍ଯ୍ୟନ୍ତ ଆଶା ବାନ୍ଧି ବସିଥିଲେ ମଧ୍ୟ ହେଭିୱେଟଙ୍କ ହାତକୁ ଆସିନଥିଲା ମନ୍ତ୍ରୀପଦ ।

ଏହି ଦୁଇ ଚର୍ଚ୍ଚା ଭିତରେ କେନ୍ଦ୍ରାପଡା ଜିଲ୍ଲାର ହେଭିୱେଟ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବା ପଛର ଆଉ ଏକ ବଡ କାରଣ ହେଲା ନବୀନଙ୍କ ପ୍ରତିଶ୍ରୁତି । ୨୦୧୯ ନିର୍ବାଚନ ସମୟରେ କେନ୍ଦ୍ରାପଡା ବିକାଶର ଦାୟିତ୍ୱ ନବୀନ ନିଜେ ନେବେ ବୋଲି ଖୋଲା ସଭାରେ ପ୍ରତିଶ୍ରୁତି ଦେଇଥିଲେ । ଆଉ ଏହି ପ୍ରତିଶ୍ରୁତି ଦେବା ସହ ବୋଧହୁଏ କେନ୍ଦ୍ରାପଡାର ନେତାଙ୍କ ପାଇଁ ମନ୍ତ୍ରୀମଣ୍ଡଳର ଦ୍ୱାର ବନ୍ଦ କରି ଦେଇଛନ୍ତି ନବୀନ । କାରଣ ଯେଉଁଠି ଜିଲ୍ଲା ବିକାଶର ଦାୟିତ୍ୱ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ନେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ସେଠାରେ ପୁଣି ମନ୍ତ୍ରୀଙ୍କର କଣ ବା ଆବଶ୍ୟକତା ଥାଇପାରେ? ତେବେ ମନ୍ତ୍ରୀପଦ ଦେଇନଥିଲେ ମଧ୍ୟ ଦୁଇ ନେତାଙ୍କୁ ଅସନୁଷ୍ଟ କରିବାକୁ ଚାହୁଁନାହାନ୍ତି ନବୀନ । ତେଣୁ ସନ୍ତୁଷ୍ଟିକରଣ ଫର୍ମୁଲାରେ ପ୍ରତାପଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ଦଳରେ ତାଙ୍କର ପ୍ରଭାବ ରହିଛି ବୋଲି ସଂକେତ ଦେବାକୁ ଚାହିଁଛନ୍ତି ନବୀନ । ଅନ୍ୟପଟେ ଅତନୁଙ୍କୁ ମହାକାଳପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ମନ୍ତ୍ରୀପଦ ନ ପାଇବାର ଦୁଃଖକୁ ଲାଘବ କରିବାକୁ ଚାହିଁଛନ୍ତି ବିଜେଡି ସୁପ୍ରିମୋ ।

Comments (0)
Add Comment