ବିଜୟ ପରେ ବୈଜୟନ୍ତଙ୍କୁ ଭୁଲିଗଲେ । ପରିଶ୍ରମ କରିଥିଲେ କିନ୍ତୁ ଫଳାଫଳ ଆସିବା ପରେ କେହି ପଚାରିଲେନି । ନା ଧନ୍ୟବାଦ ମିଳିଲା ନା ଶୁଭେଚ୍ଛା । ବିଜେପିର ଆସାମ ବିଜୟ ପରେ ବୈଜୟନ୍ତଙ୍କ ସହ କିଛି ଏଭଳି ଘଟୁଛି । ଯାହା ପଣ୍ଡା ବାବୁଙ୍କ ପକ୍ଷେ ହଜମ କରିବା ସହଜ ନୁହେଁ । ପଶ୍ଚିମବଙ୍ଗରେ ପରାଜୟ ବିଜେପିକୁ ଯେଉଁ କ୍ଷତ ଦେଇଛି ତାହାକୁ କିଛି ମାତ୍ରାରେ ପୂରଣ କରିଛି ଆସାମ ବିଜୟ । ଦଳ ପୁଣିଥରେ ଆସାମରେ ଗେରୁଆ ବାନା ଉଡାଇଛି । ସରକାରଙ୍କୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଥିଲେ ମଧ୍ୟ ଏହାର ପ୍ରତିଫଳନ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିନାହିଁ । ପୁଣିଥରେ ବିଜେପି ଉପରେ ଭରସା କରିଥିବାରୁ ଆସାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦଳର ଶୀର୍ଷ ନେତୃତ୍ୱ । ଏପରିକି ଏଭଳି ସଫଳତାର ଶ୍ରେୟ ରାଜ୍ୟର ହେଭିୱେଟ ଚେହେରାଙ୍କୁ ଦେଇଛନ୍ତି ଦଳର ତ୍ରିମୂର୍ତ୍ତି ମୋଦି-ଶାହା-ନଡ୍ଡା । କିନ୍ତୁ ଏହି ଶ୍ରେୟ ତାଲିକାରୁ ବାଦ୍ ପଡିଛନ୍ତି ବୈଜୟନ୍ତ । ଦଳର ଶୀର୍ଷ ନେତୃତ୍ୱଙ୍କ ମୁହଁରେ ବୈଜୟନ୍ତଙ୍କୁ ନେଇ ପଦିଏ ପ୍ରଂଶସା ମଧ୍ୟ ଶୁଣିବାକୁ ମିଳିନାହିଁ । ତେବେ ଆସାମ ବିଜୟ ପାଇଁ ବୈଜୟନ୍ତଙ୍କୁ ବା କାହିଁକି ପ୍ରଂଶସା ମିଳିବ ଏକଥା ଜଣେ ସାଧାରଣ ପାଠକଟିଏ ମନରେ ଉଠିବା ସ୍ୱାଭାବିକ । ଆଉ ପଛର କାରଣ ହେଲା, ବୈଜୟନ୍ତଙ୍କ ଦିଆଯାଇଥିବା ଗୁରୁଦାୟିତ୍ୱ ।
ଆସାମ ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା ବିଜେପି । ଗୋଟିଏ ପଟେ ଆସାମରେ ସରକାର ବିରୋଧରେ ଜନଅସନ୍ତୋଷ ,ଆଉ ଅନ୍ୟପଟେ ନିର୍ବାଚନ । ଏଭଳି ସ୍ଥିତିରେ ପ୍ରଭାରୀ ଦାୟିତ୍ୱ ପାଇ ଆସାମ ପରୀକ୍ଷା ଦେବାକୁ ଓହ୍ଲାଇଥିଲେ ବୈଜୟନ୍ତ । ପ୍ରଭାରୀ ଭାବେ ପଦ୍ମ ଦଳରେ ଏହା ଥିଲା ପଣ୍ଡା ବାବୁଙ୍କ ପ୍ରଥମ ପରୀକ୍ଷା । ନିର୍ବାଚନ ପୂର୍ବରୁ ଆସାମରେ ବିଜେପି ବ୍ୟାକଫୁଟରେ ଥିବା ବେଳେ ବୈଜୟନ୍ତଙ୍କ ପାଇଁ ଏହି ଦାୟିତ୍ୱ ଅନେକ ଗୁରୁତ୍ୱ ବହନ କରୁଥିଲା । କାରଣ ଆସାମରେ ଦଳ ଭଳ ସ୍ଥିତିରେ ନାହିଁ ବୋଲି ବୈଜୟନ୍ତ ପ୍ରଥମରୁ ଆକଳନ କରି ସାରିଥିଲେ । ତେଣୁ ଏଭଳି ସ୍ଥିତିରେ ଦଳକୁ ବିଜୟ ଭେଟି ଦେଲେ ପଦ୍ମ ପୋଖରୀରେ ତାଙ୍କର ପତିଆରା ବଢିବ ବୋଲି ବୈଜୟନ୍ତ ଭାବିଥିଲେ । ତେଣୁ ଆସାମରେ ବିଜେପିକୁ ବିଜୟ ଭେଟି ଦେବାକୁ ଦିନ ରାତି ଏକ କରି ଦେଇଥିଲେ ପଣ୍ଡା ବାବୁ ।
ଓଡ଼ିଶା ଛାଡି କିଛି ଦିନ ପାଇଁ ଆସାମରେ କ୍ୟାମ୍ପ ପକାଇଥିଲେ ବୈଜୟନ୍ତ । ଏପରିକି ସାଙ୍ଗରେ ଓଡ଼ିଶାରୁ କର୍ମୀ ଧରି ଆସାମରେ ପ୍ରଚାରକୁ ଜୋରଦାର କରିଥିଲେ । ବିଭିନ୍ନ ନିର୍ବାଚନୀ ସଭାରେ ମୋଦି-ଶାହାଙ୍କ ସହ ମଞ୍ଚ ସେୟାର କରି ଦଳ ତାଙ୍କୁ ଗୁରୁତ୍ୱ ଦେଉଥିବା ସଂକେତ ଦେଉଥିଲେ ବୈଜୟନ୍ତ । ଏହାଛଡା ଆସାମରେ ସଫଳ ହେଲେ ବିଜେପିରେ ବୈଜୟନ୍ତଙ୍କର ଭାଗ୍ୟ ଫିଟିବ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଥିଲା । ଆଉ ଯେତେବେଳେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଲା ସେତେବେଳେ ଆସାମରେ ବିଜେପିର ଅଦ୍ଭୁତପୂର୍ବ ବିଜୟକୁ ନେଇ ଖୁସିରେ ଆତ୍ମହରା ହୋଇଥିଲେ ବୈଜୟନ୍ତ । ଟ୍ୱିଟ୍ କରି ଆସାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । କାରଣ ବୈଜୟନ୍ତ ଭାବୁଥିଲେ ଏହି ବିଜୟ ପାଇଁ ତାଙ୍କୁ ବାହାବା ମିଳିବ । ଦଳରେ ତାଙ୍କର ଦବଦବା ବଢିବ । କିନ୍ତୁ ତାହା ବୈଜୟନ୍ତଙ୍କ ପାଇଁ ସତେ ଯେପରି ଦିବା ସ୍ୱପ୍ନ ପରି ଥିଲା ।
ଆସାମ ନିର୍ବାଚନ ଫଳାଫଳ ଆସିଲା, ଦଳର ୩ ଶୀର୍ଷ ନେତା ମୋଦି-ଶାହା-ନଡ୍ଡାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଧନ୍ୟବାଦ ଓ ଶୁଭେଚ୍ଛା ଟ୍ୱିଟ୍ ମଧ୍ୟ ଦେଖିବାକୁ ମିଳିଲା । କିନ୍ତୁ କୌଣସି ନେତାଙ୍କ ଟ୍ୱିଟରରେ ବୈଜୟନ୍ତଙ୍କ ନାଁ ଦେଖିବାକୁ ମିଳିଲା ନାହିଁ । ଲାଗୁଥିଲା ସତେ ଯେମିତି ଆସାମ ବିଜୟ ପଛରେ ବୈଜୟନ୍ତଙ୍କର କିଛି ବି ସେଭଳି ବଡ ଅବଦାନ ନାହିଁ । ବରଂ ଦଳୀୟ ସଙ୍ଗଠନ ବଳରେ ଆସାମରେ ଗେରୁଆ ବାନା ଉଡିଲା ବୋଲି ସଂକେତ ଦେଇଥିଲେ ଶୀର୍ଷ ନେତୃତ୍ୱ । ଯେଉଁଥିପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ବିଜେପିର ତ୍ରିମୂର୍ତ୍ତି । ପୂର୍ବରୁ ଦଳ ଏଠାରେ କ୍ଷମତାରେ ଥିବାରୁ ସଙ୍ଗଠନ ସୁଦୃଢ ଥିଲା । ଦଳୀୟ କର୍ମକର୍ତ୍ତାଙ୍କ ପରିଶ୍ରମ ବଳରେ ବିଜେପି ବିଜୟ ଟୀକା ପିନ୍ଧିଲା । ଆଉ ଏହି ବିଜୟ ପଛରେ ପ୍ରଭାରୀ ଭାବେ ବୈଜୟନ୍ତଙ୍କର ସେଭଳି ବଡ ଭୂମିକା ନାହିଁ ବୋଲି ମନେ କରି ଧନ୍ୟବାଦ ପଲିଟିକ୍ସରୁ ତାଙ୍କୁ ଆଉଟ କରିଥାଇପାରନ୍ତି ବିଜେପିର ଟପ୍-ଲିଡର । ଆଉ ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟ ଦେଖି ରାଜନୀତିରେ ରୁଚି ରଖୁଥିବା ଲୋକ କହୁଛନ୍ତି, ବିଚରା ବୈଜୟନ୍ତ । ପ୍ରଭାରୀ ଭାବେ ଦାୟିତ୍ୱ ଦେଇ ପ୍ରବଳ ଖଟାଇଲେ, କିନ୍ତୁ ବିଜୟ ପରେ ସମ୍ପୂର୍ଣ୍ଣ ଭୁଲିଗଲେ ।