ଓବିସି ଓ ଏସଇବିସି ବର୍ଗକୁ ନେଇ ଜୋର ଧରିଲା ରାଜନୀତି । ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁ କରିନଥିବା ସେ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ ପାଖରେ ୨୧୦ ପଛୁଆ ବର୍ଗର ତାଲିକା ଅଛି । ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି । ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇଛି । ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନଥିବା ଭଳି ବିଭ୍ରାନ୍ତ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୨ ବର୍ଷ ତଳେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡିଶାରେ କାର୍ୟ୍ୟକାରୀ କରାଯାଇନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
‘କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ସେ ଆହ୍ବାନ ଦେବା ସହିତ ଓଡ଼ିଶାର ପଛୁଆ ବର୍ଗଙ୍କ ଲାଗି ଅଧିକ ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢିଛନ୍ତି । କେନ୍ଦ୍ରରେ ପଛୁଆ ବର୍ଗ ଗରିବଙ୍କ ପାଇଁ ରହିଛି ୧୦% ସଂରକ୍ଷଣ ବ୍ୟବସ୍ଥା’ । ତେଣୁ କେନ୍ଦ୍ରୀୟ ଢାଞ୍ଚାରେ ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ତେବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆ ବର୍ଗଙ୍କ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ବିବାଦ ତେଜିବାରେ ଲାଗିଛି । ଜନଗଣନା ସମୟରେ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବୋଲି ଓଡିଶା ସରକାର ଅନୁରୋଧ କରିଥିଲେ । ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ହେଲେ କେନ୍ଦ୍ର ସରକାର ଏହା ଉପରେ କିଛି ଠୋସ ପଦକ୍ଷେପ ନେଲେନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ପଛୁଆ ବର୍ଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।