ରାଜ୍ୟ ବିଜେପିର ଅନ୍ଦର ମହଲରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସମୀକ୍ଷା ସମୟରେ ଗଣମାଧ୍ୟମ ଉପରେ ଏକ ବଡ ଧରଣର ଚର୍ଚ୍ଚା ଆଲୋଚନା ହୋଇଥିଲା । ଏହି ସମୟରେ ମିଡିଆ କଥା ବୁଝୁଥିବା ଦଳର ଜଣେ ପୁରୁଖା ନେତା ପ୍ରଭାରୀଙ୍କୁ ଭୁଲ ତଥ୍ୟ ଦେଇଥିବା ଜୋରଦାର ଚର୍ଚ୍ଚା ହେଉଛି । ନିଜର ପଦ ବଂଚାଇବା ପାଇଁ ଆଉ କିଛି ନିର୍ଦ୍ଦିଷ୍ଟ ମିଡିଆକୁ ଭୁଲ ଭାବେ ଦର୍ଶାଇବା ପାଇଁ ବରିଷ୍ଠ ନେତା ଜଣକ ମିଛ ତଥ୍ୟ ପ୍ରଭାରୀଙ୍କୁ ଦେଇଥିବା ଦଳୀୟ ନେତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ପୁରା ଘଟଣାକ୍ରମ ଥିଲା କିଛି ଏହିଭଳି । ରାଜ୍ୟରେ ପରୀ ପ୍ରସଙ୍ଗରେ କେଉଁ ମିଡିଆ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ନେଇ ଏକ ଚର୍ଚ୍ଚା ହୋଇଥିଲା । ବୋଧହୁଏ ଏହା ଜରିଆରେ ପ୍ରଭାରୀ ଜାଣିବାକୁ ଚାହୁଁଥିଲେ ବିଜେପିର ଆନ୍ଦୋଳନ ଏବଂ ଲଢେଇକୁ କେଉଁ ଗଣମାଧ୍ୟମ ଦେଖାଉଛି ଆଉ କିଏ ବୟକଟ କରୁଛି । ଅର୍ଥାତ୍ ରାଜ୍ୟରେ ବିଜେପି ସପକ୍ଷରେ ମିଡିଆର ଶକ୍ତି କେତେ ତାର ଏକ ଆକଳନ କରିବାକୁ ସେ ଉଦ୍ୟମ କରିଥିଲେ । ହେଲେ ଏହି ସମୟରେ ମିଡିଆ କଥା ବୁଝୁଥିବା ବିଜେପି ନେତା ଜଣକ ଭୁଲ ତଥ୍ୟ ଦେଇଦେଲେ । ଯାହାକୁ ସେଠାରେ ଉପସ୍ଥିତ ଥିବା ଆଉ କିଛି ନେତା ନାପସନ୍ଦ ମଧ୍ୟ କରିଥିଲେ । ହେଲେ ପ୍ରଭାରୀଙ୍କ ସାମ୍ନାରେ କେହି କିଛି କହିପାରିନଥିଲେ ।
ହେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କିନ୍ତୁ ଏହି ଦ୍ୱନ୍ଦ୍ୱକୁ ତୁରନ୍ତ ଦୂର କରିଦେଇଥିଲେ । ଆଉ ଯେଉଁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବାବଦରେ ଭୁଲ ତଥ୍ୟ ଦଳୀୟ ନେତା ଦେଉଥିଲେ, ତାକୁ ତୁରନ୍ତ ସେ ଠିକ କରିଦେଇଥିଲେ । ପରୀ ପ୍ରସଙ୍ଗରେ ଶାସକ ବିଜେଡି ହାତରେ ଥିବା କିଛି ମିଡିଆକୁ ଛାଡିଦେଲେ ଅନ୍ୟ ସମସ୍ତେ ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଥିଲେ । ଯାହା ଶାସକ ଦଳକୁ ଅଡୁଆରେ ପକାଇଥିଲା । ହେଲେ ବିଜେପିର ନେତା କାହିଁକି ପ୍ରଭାରୀଙ୍କୁ ଅନ୍ଧାର ଭିତରେ ରଖି ଭୁଲ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଥିଲେ, ତାହା ଅବୁଝା ରହିଗଲା । ପ୍ରଭାରୀଙ୍କୁ ମିଛ କହିବାକୁ ଏହି ନେତାଙ୍କ ସାହାସ କେମିତି ହେଲା, ତାକୁ ନେଇ ଦଳୀୟ ନେତାଙ୍କ ଭିତରେ ଜୋରଦାର ଚର୍ଚ୍ଚା ।
କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟ ବିଜେପି ନେତା ମିଛ କହିବା, ଭୁଲ ତଥ୍ୟ ଦେବା କିମ୍ବା ଅନ୍ଧାରରେ ରଖିବା କିଛି ନୁଆ କଥା ନୁହେଁ । ପୂର୍ବରୁ ଦଳୀୟ ସଂଗଠନ ଏବଂ ବୁଥ କମିଟି ବାବଦରେ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଲ୍ଲୀ ପଠାଇ ଦିଆଯାଇଥିଲା । ଯାହାକୁ ସଙ୍ଗେ ସଙ୍ଗେ ତକ୍ରାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଧରିପକାଇଥିଲେ । ଆଉ ବନ୍ଦ କୋଠରୀ ଭିତରେ ଭୁଲ ତଥ୍ୟ ପାଇଁ ନାଲିଆଖି ଦେଖାଇ ତାଗିଦ ବି କରିଥିଲେ । ତେଣୁ ରାଜ୍ୟ ବିଜେପି ଅତୀତର ଭୁଲକୁ ସୁଧାରିବା ପାଇଁ ଉଦ୍ୟମ କରିବା ବଦଳରେ ଭୁଲକୁ ବାରମ୍ବାର ଦୋହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଦଳୀୟ ପ୍ରଭାରୀଙ୍କୁ ମିଛ କହିବାକୁ ସାହାସ ରଖୁଥିବା ଏଭଳି ବ୍ୟକ୍ତି କେବେ ହେଲେ ଦଳ ପାଇଁ ସଂପତ୍ତି ହୋଇପାରିବେ ନାହିଁ ବରଂ ଦଳକୁ ହିଁ ତାଙ୍କର ମିଛର ବୋଝ ମୁଣ୍ଡାଇବାକୁ ପଡିବ ।