ନ୍ୟାୟ ପାଇଁ ନା ନିଜ ପାଇଁ?

ପରୀକୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଲଢେଇ ଏବେ ଫାଇଦା ରାଜନୀତି ଆଡକୁ ମୁହାଁଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ପରୀକୁ ନ୍ୟାୟ ଦେବାକୁ ବିଜେପିର ଆନ୍ତରିକତା କମ୍ ବରଂ ସାରା ଓଡିଶାରେ ନିଜର ଉପସ୍ଥିତି ଜାହିର କରିବାକୁ ଏହାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ରଣନୀତି ଭାବେ ଦଳ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ବିଧାନସଭା ଭିତରେ ଆଉ ବାହାରେ ଦଳ ତାର ଆଭିମୁଖ୍ୟ ଶାଣିତ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପରୀ ଗାଁକୁ ଯାଇ ପରିବାରକୁ ଭେଟିଥିଲେ ଦଳୀୟ ବିଧାୟକ । ଆଉ ଏବେ ଦଳ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ପାଇଁ ଡାକରା ଦେଇଛି । ଆଉ ସବୁ ପଦଯାତ୍ରା ମୁହାଁଇବ ପରୀ ଗାଁ ଯଦୁପୁରକୁ ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୨୧ତାରିଖରେ ଭୁବନେଶ୍ୱରରୁ ନୟାଗଡ଼ ଜିଲ୍ଲା ଯଦୁପୁରକୁ ଦଳ ବିଶାଳ ପଦଯାତ୍ରା ଆୟୋଜନ କରିବ । ହେଲେ ଏହା ପୂର୍ବରୁ ଅର୍ଥାତ୍ ଆସନ୍ତା ୧୫ ତାରିଖରେ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ପଦଯାତ୍ରା କରିବାକୁ ଦଳ ଯୋଜନା ତିଆରି କରୁଛି। ବଡ କଥା ହେଉଛି, ପରୀ ପାଇଁ ହେଉଥିବା ଆନ୍ଦୋଳନରେ ଦଳ ବହୁ ଭାଗରେ ବିଭକ୍ତ ହୋଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ତେଣୁ ନୂଆ ପ୍ରଭାରୀଙ୍କ ସାମ୍ନାରେ ଧର୍ମେନ୍ଦ୍ର କ୍ୟାମ୍ପ ନିଜ ଶକ୍ତି ଦେଖାଇବାକୁ ଏହି ପଦଯାତ୍ରା ଆୟୋଜନ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏଥିରେ ଅପରାଜିତା ଷଡଙ୍ଗୀ ସାମିଲ ହେବେ କି ନାହିଁ ତାହା ହିଁ ବଡ ପ୍ରଶ୍ନ ।

ବିଜେପିର ନୂଆ ପ୍ରଭାରୀ ଆଜି ଠାରୁ ଓଡିଶା ଗସ୍ତରେ ଆସୁଛନ୍ତି । ଦାୟିତ୍ୱ ନେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ତେଣୁ ପ୍ରଭାରୀଙ୍କ ସାମ୍ନାରେ ନିଜର କ୍ଷମତା ଆଉ ଲୋକବଳ ଦେଖାଇବାକୁ ବିଜେପି ଭିତରେ ଏକ ରେସ୍ ଚାଲିଥିବା ଚର୍ଚ୍ଚା କରାଯାଉଛି । କାରଣ ରାଜଭବନ ସାମ୍ନାରେ ଯେତେବେଳେ ବିଜେପି ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା ସଠେି ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହିଠାକୁ ଆସିନଥିଲେ । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଥିଲା ବିଜେପି ନ୍ୟାୟ ଦେବା ପାଇଁ ଲଢେଇ କରୁନାହିଁ ବରଂ ନିଜ ଦଳର ସଂଗଠନକୁ ସଜାଡିବାକୁ ପରୀକୁ ନ୍ୟାୟ ଦେବାର ବାହାନା କରୁଛି । ଆଉ ଏବେ ପଦଯାତ୍ରା କରି ମିଡିଆରେ ଚର୍ଚ୍ଚାରେ ରହିବାର ନୂଆ ରଣନୀତି ଆପଣାଇଥିବା ବିଜେପିକୁ ଏହା ଫାଇଦା ଦେଉଛି କି ନାହିଁ ତାଉପରେ ରହିଛି ସମସ୍ତଙ୍କ ନଜର ।

Comments (0)
Add Comment