ଏଣିକି ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନେ ବାର୍ଷିକ ସଂପତି ତାଲିକା ଦେବାକୁ ବାଧ୍ୟ ହେବେ । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଏହି ସଂପର୍କିତ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ପ୍ରତି ବର୍ଷର ସଂପତି ତାଲିକାକୁ ଜନସାଧାରଣଙ୍କ ସୂଚନା ନିମନ୍ତେ ସର୍ବସାଧାରଣରେ ଉପସ୍ଥାପନ କରାଯିବ ।
ସେହିପରି ସରକାରୀ କର୍ମଚାରୀ ସେମାନଙ୍କ ସଂପତି ତାଲିକାର ତଥ୍ୟ ଲୋକଙ୍କୁ ଜଣାଇବେ । ସରକାରୀ କର୍ମଚାରୀ ଏଂଟ୍ରି ଲେବଲରୁ ମୁଖ୍ୟ ଶାସନ ସଚିବଙ୍କ ଯାଏ ପ୍ରତିବର୍ଷ ନିଜ ନିଜ ସଂପତିର ହିସାବ ଦେବେ ଏମାନେ । ସେହିପରି ରାଜ୍ୟର ସାଂସଦମାନେ ସ୍ବେଚ୍ଛାକୃତଭାବେ ନିଜର ସଂପତ୍ତି ତାଲିକା ପ୍ରଦାନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିବେ । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ନବୀନ ସରକାରରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ଦୁର୍ନୀତି ବିରୋଧରେ ସାଲିସ ବିହୀନ ଲଢେଇ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଥିବା ବେଳେ ଆଜି ଏହାକୁ କ୍ୟାବିନେଟରେ ପାରିତ କରାଯାଇଛି ।
ବିଭିନ୍ନ ସମୟରେ ଦେଖାଯାଏ, ନେତା, ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ କଳାଧନରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାଆନ୍ତି। ତେଣୁ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ସମ୍ପତ୍ତି ତାଲିକା ଜନସାଧାରଣଙ୍କ ନିମନ୍ତେ ପବ୍ଲିକ ଡୋମେନରେ ରଖାଯିବ। ପ୍ରତିବର୍ଷ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କ ନିଜର ସମ୍ପତ୍ତି ତାଲିକାର ଏକକିତା ନକଲ ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ । ଗତ ସପ୍ତାହରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଏହି ଦୁର୍ନୀତି ବିରୋଧୀ ଅଭିଯାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।