ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇଛି । ଏଥିରେ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଆସନ୍ତା ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲ ପାଇଁ ଏହା ଲାଗୁ ହେବ ।
ସେହିପରି ବେସରକାରୀ କଲେଜ ଅଧ୍ୟାପକମାନେ ମଧ୍ୟ ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ୧୨୬ କୋଟି ରାଜ୍ୟ ସରକାର ବହନ କରିବେ । ସ୍କୁଲ ଓ କଲେଜ ଗ୍ରାଣ୍ଟ ଇନ୍ ଏଡ୍ ବାବଦକୁ ବାର୍ଷିକ ୧୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବଶୀଘ୍ର ଖାଲିଥିବା ପଦବୀ ପୁରଣ ହେବ । ମୋଟ୍ ୧୫ ହଜାର ୬ ଶହ ୬୪ ଜଣ ଅଧ୍ୟାପକ ଓ କର୍ମଚାରୀ ସୁବିଧା ପାଇବେ ।
ଏହାଛଡା କ୍ୟାବିନେଟ ବୈଠକରେ ୯ଟି ନିଷ୍ପତ୍ତି ଉପରେ ମୋହର ବାଜିଛି । ୫ ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତି କରାଯିବ । ଏହାଦ୍ୱାରା ୯୩୮ଟି ବସ୍ତିର ଲୋକେ ଉପକୃତ ହେବେ । ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ଟି ମୁନିସିପାଲଟି ଓ ଏନଏସିର ୧ ଲକ୍ଷ ୭୫ ହଜାର ପରିବାର ଉପକୃତ ହୋଇସାରିଛନ୍ତି ।