ଯେତବେଳେ ଜଣେ ନେତାଟିଏ ହେବା ପରେ ତାଙ୍କର କୋଟି କୋଟି ଟଙ୍କାର ସଂପତି ଥିବା ତାଲିକାରେ ଦେଖିବାକୁ ମିଳେ ସେତେବେଳେ ସାମନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଲାଇଫ ଷ୍ଟାଇଲ । ଆଉ ଏହାକୁ ସାମନାକୁ ଆଣିଛନ୍ତି ବିଜୁ ଜନତା ଦଳର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ନବୀନଙ୍କ ଦୃଢ ନିଷ୍ପତି ଓ କାର୍ଯ୍ୟ କରିବାର ଶୈଳୀକୁ ସମସ୍ତେ ଅଳ୍ପବହୁତେ ଜାଣିଥିବେ । କିନ୍ତୁ ସଚିବାଳୟ ଓ ସାଧାରଣ ସଭାକୁ ଛାଡିଦେଲେ ନବୀନଙ୍କ ଦିନ କିପରି ଓ କେଉଁଠି କଟେ ତାହା ପ୍ରାୟତଃ କେହି ଜାଣିନଥିବେ । ରାଜ୍ୟରେ ଦୀର୍ଘ ବର୍ଷ ଶାସନ କରିବା ପରେ ବି ନବୀନ କିଭଳି ସରଳ ଓ ନିରାଡମ୍ବର ଜୀବନଯାପନ କରନ୍ତି ତାହା କହିଛନ୍ତି ପ୍ରଣବ ପ୍ରକାଶ ଦାସ ।
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ନବୀନ ନିବାସ କଣ ତାହା ସମସ୍ତେ ଜାଣନ୍ତି । ହେଲେ ନବୀନ ନିବାସ ପଛପଟେ ଥିବା ଏକ ଛୋଟିଆ ଘରେ ୱାନ ବିଏଚକେ ରୁମରେ ନିରାଡମ୍ବର ଭାବରେ ଜୀବନଯାପନ କରନ୍ତି ନବୀନ ପଟ୍ଟନାୟକ । ଏପରିକି ସେଇଟା ବି ତାଙ୍କର ଘର ନୁହେଁ । ସକାଳୁ ଆସି ସେଠାରେ କାମ କରନ୍ତି ଆଉ ପୁଣି ସେହିଠାରେ ରହନ୍ତି । ଆଉ ସେହି ଛୋଟିଆ ଘରେ ରହି ଦଳ ଓ ରାଜ୍ୟର ଶାସନ କଥା ବୁଝନ୍ତି । ନବୀନଙ୍କ ତ୍ୟାଗ ଓ ବଳିଦାନ ପାଇଁ ବିଜୁ ଜନତା ଦଳ ବିଶ୍ୱ ଦରବାରରେ ନାଁ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ପ୍ରେରଣା ଯୋଗାଇଆସିଛି ବୋଲି କହିଛନ୍ତି ପ୍ରଣବ ।
ସେହିପରି ପ୍ରଣବ କହିଛନ୍ତି, ନବୀନ ପଟ୍ଟନାୟକ ଏକ ସମୃଦ୍ଧ ଓଡିଶା ଗଠନ କରିବାକୁ ଚାହାଁନ୍ତି । ଭୟଙ୍କର ଇତହାସକୁ ପଛରେ ପକାଇ ଗୌରବମୟ ଇତହାସ ଯେଉଁଥିଲା ସେଠି କିଭଳି ପହଚାଂଇବେ ସେଥିପାଇଁ ଉଦ୍ୟମ କରନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଭୋକର ଭୂଗୋଳକୁ ଦୂର କରିଛନ୍ତି । ଲୋକଙ୍କ ସହ ଅଛନ୍ତି ଏହିକଥା ସେ ପ୍ରମାଣ କରିଛନ୍ତି । ଶହ ଶହ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ନିଜର ସବୁକିଛି ଓଡ଼ିଶାବାସୀଙ୍କ ପାଇଁ ଦାନ କରିଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନଙ୍କୁ ଭଲ ପାଉଥିବା ପ୍ରତି କର୍ମୀଙ୍କୁ ପ୍ରଣବଙ୍କ ଆହ୍ୱାନ ଦେଇ କହିଛନ୍ତି ଦୈନିକ ୨ରୁ ୩ ଘଣ୍ଟା ଦଳକୁ ସମୟ ଦେଲେ ଦଳ ଆହୁରି ମଜଭୁତ ହେବା ସହ ଲୋକଙ୍କ ବିକାଶରେ ବ୍ରତୀ ହୋଇପାରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ଅଛନ୍ତି । ସେଥିପାଇଁ ସେ ପ୍ରଥମେ ଦୁର୍ନୀତି ହଟାଇବାକୁ ସଂକଳ୍ପ ନେଇଛନ୍ତି । ରାଜ୍ୟର ପ୍ରଗତିରେ ବାଧକ ସାଜୁଥିବା ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରଥମେ ସେ ନିଜକୁ ପ୍ରସ୍ତୁତ କରିଛନ୍ତି । ସାମାଜିକ ବ୍ୟାଧି ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିଛନ୍ତି । ନିହାତି ସାଧାରଣ ଶୈଳୀ ଢାଞ୍ଚାରେ ଜୀବନ ଜୀଇଁବା ସହ ସରକାରୀ କାର୍ୟ୍ୟକ୍ରମରେ ଯେପରି ଦୁର୍ନୀତିର ଛିଟା ନପଡେ ସେ ନେଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।