ପୁରୀରୁ ବିଦେଶକୁ ଉଡ଼ିବ ବିମାନ!

ରାଜ୍ୟ ସରକାରଙ୍କ ଫୋକସରେ ପୁରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ଦିନରାତି କସରତ କରୁଛନ୍ତି । ବର୍ଷେ ହେବ ପୁରୀରେ ଅନେକ ଉନ୍ନୟନମୂଳକ କାର‌୍ୟ୍ୟ କରାଯାଉଛି । ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏବେ ସରକାର ଅଂଟା ଭିଡିଛନ୍ତି । ଶ୍ରୀକ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଏହି ବିମାନବନ୍ଦରକୁ ଶ୍ରୀ ଜଗନ୍ନାଥ ଇଂଟରନାସନାଲ ଏୟାରପୋର୍ଟ ନାଁରେ ନାମିତ କରିବାକୁ ଚିଠିରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜ୍ୟ ସରକାର ପୁରୀରେ ଜମି ଚହ୍ନଟ କରିଛନ୍ତି । ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ।୫-ଞ ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଛନ୍ତି ।

ଦେଶର ଚାରି ପ୍ରସିଦ୍ଧ ଧାମ ମଧ୍ୟରୁ ପୁରୀ ହେଉଛି ଗୋଟିଏ ପ୍ରମୁଖ ଧାମ । ସାରା ବିଶ୍ୱର ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରଦର୍ଶନ ପାଇଁ ଆସିଥାନ୍ତି । ପୁରୀ ଜିଲ୍ଲାରେ କୋଣାର୍କ ସୂର‌୍ୟ୍ୟ ମନ୍ଦିର ମାତ୍ର ୩୫ କିଲୋମିଟର ଦୂରରେ ରହିଛି । ଏହାର ଅତି ନିକଟରେ ରହିଛି ରାମଚଣ୍ଡୀ –ଚନ୍ଦ୍ରଭାଗା ବେଳାଭୂମି । ଯାହାକି ଜାତୀୟ ଅନ୍ତର୍ଜାତୀୟ ପର‌୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।ୟୁନେସ୍କୋର ବିଶ୍ୱ ଐତିହ୍ୟରେ ସ୍ଥାନପାଇଥିବା ରାମସର ସାଇଟ ଚିଲିକା ସହିତ ମଧ୍ୟ ପୁରୀର ସଂପୃକ୍ତି ଅଛି । ଏପଟେ ଭିତରକନିକା , ସେପଟେ ଚିଲିକା , ପୁରୀରେ ଏକ ଭଲ ଇକୋଟୁରିଜିମ୍ ଉନ୍ନତିକରଣ ପାଇଁ ଭଲ ପ୍ଲାଟଫର୍ମ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖମନ୍ତ୍ରୀ । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀ ପାଖରେ ରହିଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବବିଖ୍ୟାତ । ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲଭା କରିଛି ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଚିଲିକା, ପୁରୀ, କୋଣାର୍କ, ପାରାଦୀପ, ଭିତର କନିକା ଦେଇଯିବ । ସାଂସ୍କୃତିକ, ଆର୍ଥିକ, ପର‌୍ୟ୍ୟଟନ ହବ୍ ହେବା ପାଇଁ ପୂରୀରେ ଅପୂର୍ବ ସୁଯୋଗ ରହିଛି । ଏହି ସବୁ କାରଣ ଦେଖାଇ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment