ମାଗିଥିଲେ ୭୨୦୦ କୋଟି, ମିଳିଲା ୫୫୨୮ କୋଟି ।

ମାଗିଥିଲେ ୭୨୦୦ କୋଟି, ମିଳିଲା ୫୫୨୮ କୋଟି । ଚଳିତ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫୫୨୮ କୋଟି ଟଙ୍କା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାର ରେଳପ୍ରକଳ୍ପ ଗୁଡିକ ପାଇଁ ହାରାହାରି ୮୩୮ କୋଟି ଟଙ୍କା ଆସୁଥିବା ବେଳେ ୨୦୨୧-୨୨ ବଜେଟରେ ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯିବା ସହ ୫୫୨୮ କୋଟି ଟଙ୍କା ଦିଆଯାଇଛି । ଯେଉଁଥିରେ ନୂଆ ରେଳପଥ,ଗେଜ ପରିବର୍ତ୍ତନ ଭଳି ୩୯ଟି ପ୍ରକଳ୍ପ ରହିଛି ।

ବଜେଟ ଘୋଷଣା ପୂର୍ବରୁ ରେଳ ବଜେଟରେ ଓଡ଼ିଶା ପାଇଁ ୭୨୦୦ କୋଟି ଟଙ୍କା ଦାବି କରିଥିଲେ ସରକାର । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ ସରକାର । ଏପରିକି ମହାମାରୀ ସମୟରେ ଓଡ଼ିଶାରୁ ଅଧିକ ରାଜସ୍ୱ ଦିଆଯାଇଥିବାରୁ ବଜେଟରେ ପ୍ରାଧାନ୍ୟ ଦେବାକୁ ଦାବି କରିଥିଲେ ରାଜ୍ୟ ସରକାର । କିନ୍ତୁ ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ରେଳ ବଜେଟରେ ଓଡ଼ିଶାକୁ ପାଖାପାଖି ୧୭୦୦ କୋଟି ଟଙ୍କା କମ ଦେଇଛି କେନ୍ଦ୍ର ।

ତେବେ ଏହି ବଜେଟକୁ ନେଇ ଉଭୟ ବିଜେଡି-ବିଜେପି ଉପରେ ବର୍ଷିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରେଳ ବଜେଟରେ ଓଡ଼ିଶାକୁ ଉପେକ୍ଷିତ କରାଯାଇଛି । କିନ୍ତୁ ନିର୍ବାଚନ ଥିବାରୁ ପଶ୍ଚିମବଙ୍ଗ ଓ ଚେନ୍ନାଇକୁ ଗୁରୁତ୍ୱ ଦିଆଯାଇଛି । ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରୁ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ବଜେଟରେ ନିଆଯାଇନାହିଁ । ନିର୍ବାଚନ ନଥିବାରୁ ଓଡ଼ିଶା ଫୋକସରେ ନାହିଁ । ଯାହା ଆଶା କରାଯାଉଥିଲା ତାହା ପୂରଣ ହୋଇନାହିଁ । ଆଶାରୂପକ ବଜେଟ ନ ମିଳିବା ସତ୍ତ୍ୱେ ମଧ୍ୟ ବିଜେଡି ଚୁପ୍ ରହିବା ଉଭୟ ରାଜ୍ୟ ସରକାର-କେନ୍ଦ୍ର ସରକାରଙ୍କ ଭିତିରି ଥିବା ଭିତିରି ସର୍ମ୍ପକକୁ ପଦାରେ ପକାଇଛି ।

Comments (0)
Add Comment