ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏସଆରସିଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଏସ୍ଆରସି ।
ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରାଥମିକତା ଭିତିରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଚା ଘର, ତଳି ଅଞ୍ଚଳ, ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କ ସମେତ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା, ମହିଳା ଓ ଶିଶୁଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍ଆରସି । ପ୍ରାଥମିକତା ଭିତିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଏଠାରେ ଫୋନ୍ ଫାକ୍ସ କାର୍ୟ୍ୟକ୍ଷମ ଅବସ୍ଥାରେ ରହିଥିବା ଜରୁରୀ । ବିପଦ ଆଶଙ୍କା ଥିବା ଅଞ୍ଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିରାପଦ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି ।ସ୍ଥାନୀୟ ବିଡିଓ ଏବଂ ତହସିଲଦାର ଅଞ୍ଚଳର ସମସ୍ତ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକର ଅବସ୍ଥା ଯାଞ୍ଚ କରିବେ । ସପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କୁ ଗ୍ରାଉଣ୍ଡ ଲେବଲରେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।