୪ ଦିନ ପରେ ଅର୍ଥାତ ଆସନ୍ତା ୧୧ ତାରିଖରେ ମହାଶିବରାତ୍ରୀ । ତେବେ ଏଥର ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳନ ହେବ । ଜାଗରେ ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ ।
ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ପୁଲିସ ପ୍ରଶାସନ ବୈଠକ କରିଛି। ଏଥିରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି। ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି।ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣକୁ ଧ୍ୟାନ ଦିଆଯିବ।ଭକ୍ତମାନେ ଏକତ୍ର ବସି ଦୀପ ଜାଳିବେ ନାହିଁ। ରାତି ୧୦ଟାରେ ମହାଦୀପ ଉଠିବା ଆଗରୁ ଭକ୍ତମାନେ କିଭଳି ମନ୍ଦିର ପରିସରରୁ ବାହାରକୁ ବାହାରି ଆସିବେ ସେଥିପାଇଁ ବି ବ୍ୟବସ୍ଥା କରାଯିବ।
ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତେବେ ଯାତ୍ରା ଦିନ ବିଭିନ୍ନ ଏନଜିଓ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ହେଉଥିବା ଖାଦ୍ୟ ବଣ୍ଟନକୁ ମଧ୍ୟ ବାରଣ କରାଯାଉଛି। କେବଳ ପାଣଇ ଓ ଓଆରଏସ୍ ଦଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।