ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟାକାଣ୍ଡ । ହତ୍ୟାର ଶୀକାର ହୋଇଛନ୍ତି ମାହାଙ୍ଗା ବ୍ଲକର ପୁର୍ବତନ ଅଧ୍ୟକ୍ଷ କୁଳମଣି ବରାଳ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେପିର ମାଳ ମାଳ ନେତା ଘଟଣାସ୍ଥଳରେ ପହଁଚି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ପାଶ୍ଚିମବଙ୍ଗ ଭଳି ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟୁଥିବା ସାଂଘାତିକ ଅଭିଯୋଗ ଆଣି ମନ୍ତ୍ରୀଙ୍କ ଭୁମିକାକୁ ସନ୍ଦେହ ପରିସରକୁ ଟାଣିଛନ୍ତି ।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରି କହିଛନ୍ତି, ଓଡ଼ିଶାରେ ବିଜେଡି ପଶ୍ଚିମବଙ୍ଗ ପରି କାର୍ୟ୍ୟ ଆରମ୍ଭ କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏହି ହତ୍ୟାକାଣ୍ଡ ହେଇଛି । ନୃତାଙ୍ଗ ପଂଚାୟତରେ ଧନୀ ବିଜେଡି କାର୍ୟ୍ୟକର୍ତ୍ତା ଆବାସ ଯୋଜନାରେ ଘର ନେଇଥିଲେ । ଏଥିପାଇଁ ସେ ବ୍ୟକ୍ତିଙ୍କ ବିରୋଧରେ ଏତଲା ମଧ୍ୟ ହେଇଛି । ସେଥିପାଇଁ ଆକ୍ରୋଶ ରଖି ହତ୍ୟାକାଣ୍ଡ ଭିଆଯାଇଥିବା ଗୋଲକ କହିଛନ୍ତି ।
ସେହିଭଳି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘଟଣାକୁ ନିନ୍ଦା କରି କହିଛନ୍ତି, ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟରେ ନାରୀ ନିର୍ୟ୍ୟାତନା ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି । ରାଜ୍ୟ ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପିସିସି ସଭାପତି । ବିଜେଡି ଲୋକଙ୍କ ସହ ମଧ୍ୟ ଏହା ଘଟିପାରେ । ଏଭଳି ରାଜନୈତିକ ହତ୍ୟାକୁ ଯଦି ଉତ୍ସାହିତ କରାଯାଏ, ତେବେ ଏହା ବ୍ୟାପିଯିବ ।
ମାମଲାରେ ଅଙ୍ଗୁଳି ପ୍ରତାପ ଜେନାଙ୍କ ଆଡକୁ ଉଠିବା ପରେ ଗଣମାଧ୍ୟମ ସାମ୍ନାକୁ ଆସି ସେ ସଫେଇ ରଖିଛନ୍ତି । କହିଛନ୍ତି, କୁଳମଣି ବରାଳ ମାହଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ । ଗତକାଲି ତାଙ୍କୁ ଯେମିତି ଅମାନୁଷିକ ଭାବେ ହତ୍ୟା କରାଯାଇଛି ଆମେ ତାକୁ ନିନ୍ଦା କରୁଛୁ । ରାଜନୀତିରେ ହିଂସାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ, ବିଜେଡି ମଧ୍ୟ ହିଂସାକୁ ପ୍ରଶ୍ୟ ଦେଉନାହିଁ । ବ୍ୟକ୍ତିଗତ ଭାବରେ ଯିଏ ଦୋଷୀ ତାକୁ କେମିତି ଦଣ୍ଡବିଧାନ ହେବ ସେନେଇ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ରାଜନୈତିକ ଦୃଷ୍ଟିରୁ ବିଜେପି ବିରୋଧୀ ଦଳ ଭାବରେ କଣ କହୁଛି ବଡ଼କଥା ନୁହେଁ । ଏ ଘଟଣା କାହିଁକି ଘଟିଲା, କିଏ ଘଟେଇଲା ତାହା ତଦନ୍ତ ପରେ ଜଣା ପଡିବ । ଯାହା ସତ୍ୟାସତ୍ୟ ସାମ୍ନାକୁ ଆସିବ । ଜଗନ୍ନାଥଙ୍କ ଦେଶରେ ହିଂସାର ସ୍ଥାନ ନାହିଁ ।
ହେଲେ ଆଇନ ମନ୍ତ୍ରୀଙ୍କ ଏହି ଉକ୍ତିକୁ ବିଜେପି ସହଜରେ ଗ୍ରହଣ କଲା ମୁଡରେ ନାହିଁ । ଦଳ ପକ୍ଷରୁ କୁହାଯାଇଛି ହତ୍ୟାକାଣ୍ଡରେ ସଂପୃକ୍ତି ଥାଇ ଗଣମାଧ୍ୟମ ସାମ୍ନାରେ ଆସି ବୟାନ ରଖିଲେ ହେବନାହିଁ । ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦଳ ଦାବି କରିଛି । ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ବିବାଦ ଘେରକୁ ଆସିଥିବା ବେଳେ ଏବେ ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିବାଦୀୟ ହୋଇଛନ୍ତି । ଅପରାଧୀ ଧରିବାରେ ପୁଲିସ ଯି ଟାଳଟୁଳ ନୀତି ଅବଲମ୍ବନ କରେ ତେବେ ପ୍ରସଙ୍ଗ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ ।