ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।
୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।
ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

Comments (0)
Add Comment