ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ଆସନ୍ତା ୮ ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗର ନିଗମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ୟ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ । କରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ । ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ । ବ୍ଲକସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ରଗୁଡ଼ିକର ପର୍ୟ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ । ଅନ୍ୟପକ୍ଷରେ ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଦଳ ଚିହ୍ନଟ କରାଯିବ । ଟିକାଦାନ ପରେ କୌଣସି ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ, ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତ ରହିବେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଓଡ଼ିଶାରେ ଜାନୁଆରୀ ୩୦ ତାରିଖ ନଚେତ୍ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ଉପଲବ୍ଧ ହେବ । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ ଟିକା ଦିଆଯିବ । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲାସ୍ତରରେ ମଧ୍ୟ ଶୀତଳଭଣ୍ଡାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରାଥମିକ ପର୍ୟ୍ୟାୟରେ ରାଜ୍ୟରେ ଟିକାକରଣ ଲାଗି ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପରେ ଆହୁରି ଅଧିକ ପ୍ରସ୍ତୁତ ହେବ । କେନ୍ଦ୍ର ଟିକା ଦେବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ।ଦେଶରେ ଜରୁରୀକାଳୀନ ଅନୁମତି ପାଇଁ ଡିସିଜିଆଇ ୨ଟି ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଅକ୍ସଫୋର୍ଡ ଓ ଏଷ୍ଟ୍ରାଜେନକାର କୋଭାକ୍ସିନ୍ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର