ବିଧାନସଭାରେ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରରୁ ଅଧିକ ଗୁରୁତ୍ୱ ଦିଆଯାଇଛି ।ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ୧୩ ହଜାର କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।
ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ୍ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହଜାରେ ୩୫୩ କୋଟି ବ୍ୟୟବରାଦ ହୋଇଛି। କଟକ ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍ସିବିକୁ ଏମ୍ସ ପ୍ଲସ୍ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା ଆରମ୍ଭ କରାଯାଇଛି । ଏଥି ପାଇଁ ମୋଟ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
କଟକ ଏସସିବିକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। ତା ପୂର୍ବରୁ ଏ ବର୍ଷ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ନିର୍ମଳ ଯୋଜନା, ଜିଲ୍ଲାର ସମସ୍ତ ହସ୍ପିଟାଲରେ ନୂତନ ଉପକରଣ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବ୍ୟୟ ବରାଦ ହୋଇଛି। ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ ୧,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧,୭୫୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାର ମାନର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା, ଉଦ୍ୟାନ ଏବଂ ଲିଫ୍ଟ ସେବା ପାଇଁ ୩୭୦ କୋଟି ଟଙ୍କାର ବ୍ୟବସ୍ଥା । ସେହିପରି ନିରାମୟ ଯୋଜନା ଅଧୀନରେ ନିଃଶୁଳ୍କ ଔଷଧ ପାଇଁ ୬୦୦ କୋଟି, ନିଦାନ ଯୋଜନା ଅଧୀନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୨୯ କୋଟି ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧୀନରେ ୧୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି।