ତୈଳ ଦର ଲଗାତର ହୋଇ ଚାଲିଛି ଉପର ମୁହାଁ। ଆଜି ପୁଣି ବଢ଼ିଛି ପେଟ୍ରୋଲ ଡିଜେଲ ଦାମ୍। ୧୩ ଦିନ ଭିତରେ ୧୧ ଥର ପାଇଁ ତୈଳ ଦାମ୍ ମହଙ୍ଗା ହୋଇଛି। ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ/ଡିଜେଲ ଦାମ୍।
ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୩ଟଙ୍କା ୪୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୬୭ ପଇସା ଦରରେ ବିକ୍ରି ହେଉଛି।ସେପଟେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୮ଟଙ୍କା ୪୧ ପଇସା ଓ ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୦୩ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୮୨ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ୭୫ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ। ମୂଲ୍ୟ ବୃଦ୍ଧି ପରେ ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୯୬ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୯ଟଙ୍କା ୦୪ପଇସାରେ ବିକ୍ରି ହେଉଛି।
୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ, ଡିଜେଲ ଦର ।ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁ ତେଲ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।