ଅଗଣିତ ଶ୍ରୋତାଙ୍କ ହୃଦୟରେ ବସା ବାନ୍ଧିଥିଲେ । ଗୀତରେ ଗୀତରେ ସମସ୍ତଙ୍କ ମନ ଜିଣୁଥିଲେ । ହେଲେ ଆଉ ଶୁଭିବନି ସେ ସ୍ୱର । ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଶେଷରେ ସବୁ ଦିନ ପାଇଁ ଆଖିବୁଜିଛନ୍ତି ତପୁ । ତପୁ ମିଶ୍ରଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ତପୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ନିଜ ଟୁଇଟରରେ ଲେଖିଛନ୍ତି ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି ।କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍ ଲେବଲ୍ କମି ଥିଲା। ପରେ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲା।କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ତେଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା।୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ହେଲେ ସେହିଦିନ ରାତିରୁ ପୁଣି ତାଙ୍କର ଅମ୍ଳଜାନ ସ୍ତର ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଅମ୍ଳଜାନ ସ୍ତର ୪୦କୁ ଖସି ଯିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଅଧିକ ବିଗିଡ଼ି ଯାଇଥିଲା। ଏହି ଅବସ୍ଥାରେ ଆଉ ଉନ୍ନତି ଆସି ନଥିଲା ଓ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
ଦୀର୍ଘ ଦୁଇ ଦଶନ୍ଧି ଧରି ତପୁ ମିଶ୍ର ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍ ଗୀତ । । ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଚକୋଲେଟ, ଆଇ ଲଭ୍ ୟୁ, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ବହୁ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି । ମ୍ବଲପୁରୀ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି ତପୁ । ନିଜର ସୁପରହିଟ ଗୀତ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ହେଲେ ମାତ୍ର ୩୬ ବର୍ଷ ବୟସରେ ତପୁଙ୍କ ବିୟୋଗ ଓଲିଉଡକୁ ସ୍ତବ୍ଧ କରିଦେଇଛି ।