ଓମିକ୍ରନ: ୫ ଦିନରେ ୪ ଗୁଣା ବୃଦ୍ଧି

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ । କେବଳ ୫ ଦିନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣା ବଢି ୨୧୮ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଦିଲ୍ଲାରେ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୁମ୍ବାଇରେ ୩୧ ଡିସେମ୍ବର ଯାଏଁ ୧୪୪ ଧାରା ଜାରି କରାଯାଇଛି । କର୍ଣ୍ଣାଟକରେ ୩୦ ଡିସେମ୍ବରରୁ ୨ ଜାନୁଆରୀ ଯାଏଁ କୌଣସି ପ୍ରକାର ପାର୍ଟି ଆୟୋଜନ ଉପରେ କଟକଣା ଜାରି କରାଯାଇଛି । ଓମିକ୍ରନ ନେଇ ରାଜ୍ୟଗୁଡିକୁ ବି ସତର୍କ କରାଇଲା କେନ୍ଦ୍ର । ଡେଲଟା ଠାରୁ ୩ ଗୁଣ ସଂକ୍ରାମକ ହୋଇପାରେ ଓମିକ୍ରନ । ଅର୍ଥାତ ଡେଲଟା ତୁଳନାରେ ଓମିକ୍ରନ ୩ ଗୁଣ ବ୍ୟାପିବାର ସମ୍ଭାବନା ରହିଛି ।
ବିଭିନ୍ନ ମହାନଗରରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ଭିଡ ନ ଜମାଇବାକୁ ଅନେକ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ମଧ୍ୟ ବଡ ସମାରୋହ ଓ ନୂଆ ବର୍ଷ ପାଳନ ଉତ୍ସବରୁ ଦୂରେଇ ରହିବାକୁ ପରାମର୍ଶ ଦେଇସାରିଛି । ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ବି ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏଥିରେ କୁହାଯାଇଛି, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ସ୍ତରରେ ସମୀକ୍ଷା କରାଯାଇ ପଦେକ୍ଷପ ନିଆଯାଉ । ଏକ ସପ୍ତାହ ଭିତରେ ପଜିଟିଭିଟି ହାର ୧୦ ପ୍ରତିଶତ କିମ୍ବା ଅଧିକ ରହିଲେ ଏବଂ ଅକ୍ସିଜେନ ସପୋର୍ଟ ଓ ଆଇସିୟୁ ବେଡ୍ ୪୦ପ୍ରତିଶତରୁ ଅଧିକ ଭର୍ତି ଥିଲେ କଟକଣା ଲଗାଇବାକୁ ନିଷ୍ପତି ନିଆଯାଇପାରେ । ସେହିଭଳି ବିବାହ ଓ ଅନ୍ୟ ଉତ୍ସବରେ ଗହଳି କମାଇବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ପଡିଲେ ନାଇଟ କର୍ଫ୍ୟୁ, ବଫର ଜୋନ ଓ କଂଟେନମେଂଟ ଜୋନ ଘୋଷଣା କରିବାକୁ ବି ପରାମର୍ଶ ଦେଇଛି କେନ୍ଦ୍ର । ଶହେପ୍ରତିଶତ ଟିକାକରଣ ଉପରେ ବି ଚିଠିରେ ଗୁରୁତ୍ୱ ଦିଆଯାଇଚି ।

Comments (0)
Add Comment