ଭୟ ବଢାଇଲା ‘ଓମିକ୍ରନ’

ଭୟ ବଢାଇଲା ଓମିକ୍ରନ । ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଆଉ ୮ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିିଛି । ଏହି ୮ଜଣଙ୍କ ମଧ୍ୟରୁ କେହି ହେଲେ ବିଦେଶ ଯାଇ ନାହାନ୍ତି । ତେବେ ସେମାନଙ୍କ ମଧ୍ୟରୁ କିଛି ବେଙ୍ଗାଲୁରୁ, ଦିଲ୍ଲୀ ଓ ରାଜସ୍ଥାନ ଯାଇଥିଲେ । ହେଲେ ବିଦେଶକୁ ନଯାଇ ମଧ୍ୟ, ସେମାନେ କିପରି କରୋନାର ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହେଲେ, ଏକ ବଡ଼ ପ୍ରଶ୍ନ ପାଲଟିଛି ।
ଏହି ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ଅନ୍ୟ ୫ ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ୨ଜଣ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ୬ ଜଣ ଘରୋଇ ସଂଗରୋଧରେ ଅଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ଏହି ୮ ଜଣଙ୍କ ନମୁନା ସଂଗ୍ରହ ହୋଇଥିଲା । ଏମାନଙ୍କ ବୟସ ୨୪ରୁ ୪୧ ବର୍ଷ ମଧ୍ୟରେ । ଦେଶରେ ଏଯାଏଁ ୭ଟି ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।
ମହାରାଷ୍ଟ୍ର ବ୍ୟତିତ ଦିଲ୍ଲୀ, ରାଜସ୍ଥାନରେ ମଧ୍ୟ ଓମିକ୍ରନ୍‌ ମାମଲା ବୃଦ୍ଧି ପାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ସତର୍କ କରାଯାଉଛି । ଟିକାକରଣ ଆହୁରି ଦ୍ରୁତ ଗତିରେ କରାଯିବାକୁ ଗୁରୁତ୍ବ ଦିଆଯାଉଛି ।

Comments (0)
Add Comment