ଦେଶରେ ଦ୍ରୁତ ଗତିରେ ବ୍ୟାପିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଡେଲଟା ପ୍ରଜାତି ଠାରୁ ଓମିକ୍ରନ ୩ ଗୁଣ ଅଧିକ ସଂକ୍ରାମକ । ପିଲା ଓ ଟିକା ନେଇ ନଥିବା ବ୍ୟକ୍ତିଙ୍କ ପାଇଁ ଓମିକ୍ରନ ଭୂତାଣୁ ଅଧିକ ବିପଦ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଅଳ୍ପ କିଛି ଦେଶରେ ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି । ତେଣୁ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ।
ଓମିକ୍ରନକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡାକ୍ତର ସୌମ୍ୟା ସ୍ୱାମୀନାଥନ । ପ୍ରଥମ ସଂକ୍ରମଣର ୯୦ ଦିନ ପରେ ପୁଣି ଥରେ ସଂକ୍ରମଣ ଆଶଙ୍କା ରହିଛି ।ଏହି ପ୍ରଜାତିରେ ଅଧିକ ପିଲା ସଂକ୍ରମିତ ହେଉଥିବା ଜଣାପଡିଛି । ତେବେ ନୂଆ ମାମଲା ତୁଳନାରେ କମ୍ ସଂଖ୍ୟକ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ହେଲେ କରୋନାର ନୂଆ ପ୍ରଜାତି କେତେ ଘାତକ ହେବ, ତାହା ଆଉ ୨, ୩ ସପ୍ତାହ ପରେ ଜଣାପଡିଯିବ ବୋଲି କହିଛନ୍ତି ଡାକ୍ତର ସୌମ୍ୟା ସ୍ୱାମୀନାଥନ ।
ଦେଶରେ ଏବେ ୨୩ ଜଣ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ।ତେଣୁ ବିଦେଶ ଫେରନ୍ତା ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।