ମିଡିଆ ଜଗତରେ ନୁଆ ନୁଆ ବହୁତ ଘଟଣା ଘଟିବାରେ ଲାଗିଛି । ମାଳ ମାଳ ୱେବ ଚ୍ୟାନେଲ, ୱେବସାଇଟ୍, ଟିଭି, ପେପର୍ ଭିତରେ ତାଜା ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଆଉ ଏକ ନୁଆ ଚ୍ୟାନେଲ ରାଜ୍ୟରେ ମୁଣ୍ଡ ଟେକିବାକୁ ଯାଉଛି । ପ୍ରସ୍ତୁତି ଶେଷ ହୋଇ ଯାଇଛି, କାମ ଆରମ୍ଭ ହୋଇଯାଇଛି । ଚ୍ୟାନେଲର ମୁଖିଆ କିଏ ହେବ ଆପାତତଃ ଚୁଡାନ୍ତ ହୋଇଯାଇଛି । ଏଭଳି କିଛି ଚର୍ଚ୍ଚା ରାଜ୍ୟର ସାମ୍ବାଦିକଙ୍କ ପ୍ରମୁଖ ଖଟିରେ ଆରମ୍ଭ ହୋଇଛି । ଆମ କାନରେ ଏଭଳି କିଛି ଖବର ପଡିବା ପରେ ଏହାର ଖୋଳତାଡ ଆରମ୍ଭ କରିଥିଲୁ । ସାଦା ପୋଷାକରେ ସାମ୍ବାଦିକ ଖଟିଠାରୁ ଆରମ୍ଭ କରି ସଚିବାଳୟ କରିଡର୍ ଏବଂ ପ୍ରମୁଖ ସ୍ଥାନରେ ଲୋକଙ୍କ ଉପରେ ନଜର ରଖୁଥିବା ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛି ବଡ ତଥ୍ୟ ଆମର ହସ୍ତଗତ ହୋଇଛି । ଏକ ପ୍ରମୁଖ ଗଣମାଧ୍ୟମର ସଂପାଦକ ଏହି ଚ୍ୟାନେଲକୁ ନେଇ ଖୁବ ଆଶାବାଦୀ ଥିବା ଗୁଇନ୍ଦା ଅଧିକାରୀ ଜାଣିବାକୁ ପାଇଛନ୍ତି ।
ସୁଚନା ଅନୁସାରେ, ଏହି ବରିଷ୍ଠ ସାମ୍ବାଦିକ ଆଉ ଉକ୍ତ ଚ୍ୟାନେଲରେ ଚାକିରିଆ ହୋଇ ରହିବେନି ବରଂ ଏହାର ସେୟାର ହୋଲଡର ହେବେ । ଏଥିପାଇଁ ନୁଆ କରି ଆସୁଥିବା ଚ୍ୟାନେଲର ମୁଖିଆଙ୍କ ସହ କଥା ହୋଇସାରିଛନ୍ତି । ଏକ ନିର୍ଦ୍ଦିଷ୍ଟ ପରିମାଣର ସେୟାର ରାଜ୍ୟର ଏହି ବରିଷ୍ଠ ସାମ୍ବାଦିକଙ୍କ ନାଁରେ ରହିବ । ଚୁଡାନ୍ତ ପର୍ଯ୍ୟାୟ କଥାବାର୍ତ୍ତା ସରିଯାଇଛି । ଗୁଇନ୍ଦା ଅଧିକାରୀଙ୍କ ସୁଚନା ଅନୁସାରେ, ଗତ ମାସେ ଧରି ସେମାନେ ଏ ବାବଦରେ ସୁଚନା ପାଇଥିଲେ ଏବଂ ଘଟୁଥିବା ଘଟଣା ଉପରେ ନଜର ବି ରଖିଥିଲେ । ଏପରିକି କିଛି ସମୟରେ ସାମ୍ବାଦିକ ଯାଉଥିବା କିଛି ସ୍ଥାନ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଥିଲା । ସାମ୍ବାଦିକଙ୍କ ଖଟିରେ ଏହି ଖବର ପ୍ରଚାରିତ ହେବା ପରେ ଏବେ ସବୁଠି ଗୋଟିଏ ପ୍ରଶ୍ନ କେଉଁ ନୁଆ ଚ୍ୟାନେଲ ଓଡିଶାକୁ ଆସୁଛି ଆଉ ଏହାର ସେୟାର ହୋଲଡର ହେବାକୁ ଯାଉଥିବା ସଂପାଦକ କିଏ?
ଚାଲିଥିବା ଚର୍ଚ୍ଚା ଅନୁସାରେ ରାଜ୍ୟ ବିଜେପିର ଦୁଇ ନେତା ଏହି ଚ୍ୟାନେଲର ପୃଷ୍ଠପୋଷକ ସାଜିବାକୁ ଯାଉଛନ୍ତି । ଦିଲ୍ଲୀରେ ଏହି ଦୁଇ ନେତାଙ୍କର ଭଲ ପ୍ରଭାବ ରହିଛି । ଜଣେ ସାଂସଦ ଥିବା ବେଳେ ଆଉ ଜଣେ ନିର୍ବାଚନରେ ପରାଜିତ ହୋଇଥିଲେ । ବିଜେପି ଶିବିରରେ ଏମାନଙ୍କର ଖାଦି ବେଶ ଭଲଥିବାରୁ ଆଉ ଓଡିଶାରେ ପ୍ରଭାବ ବିସ୍ତାର କରିବାକୁ ସ୍ୱପ୍ନ ଦେଖୁଥିବାରୁ ଏକ ଚ୍ୟାନେଲ ଏହି ଦୁଇ ନେତାଙ୍କ ଚେଷ୍ଟା ବଳରେ ଖୋଲୁଥିବା କୁହାଯାଉଛି । ହେଲେ ଏହି ସଂସ୍ଥା କିଏ ସେନେଇ ବିଶଦ ତଥ୍ୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ରାଜ୍ୟ ବିଜେପିର ଶକ୍ତିଶାଳି ନେତାଙ୍କୁ ଚେକ୍ ଦେବାକୁ ଏହା ଏକ ରଣନୀତିର ଅଂଶବିଶେଷ । ବର୍ତ୍ତମାନ ପରିସ୍ଥିତିରେ ଚ୍ୟାନେଲ ଖୋଲିଲେ ରାଜ୍ୟରେ ସାମ୍ବାଦିକତା କ୍ଷେତ୍ରରେ ଖାଲି ଥିବା ସ୍ଥାନ ପୁରଣ ହେବ ବୋଲି ନେତାଙ୍କ ସମର୍ଥକ କହି ବୁଲୁଥିବା ବେଳେ ମୁଖ୍ୟତଃ ଏହା ପ୍ରୋପାଗାଣ୍ଡା ମେସିନ୍ ଭଳି କାର୍ଯ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି ।