ଯାହା ଆକଳନ କରାଯାଉଥିଲା, ତାହା ହିଁ ହୋଇଛି । ବିଧାନସଭା ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ହିଁ ସରଗରମ ରହିଛି ଗୃହ । କୋଟିଆ ପ୍ରସଙ୍ଗକୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଥିଲେ ବିଜେପି ଓ କଂଗ୍ରେସ । ବିରୋଧୀ କହିଛନ୍ତି , ସୀମାର ସୁରକ୍ଷା ପାଇଁ ସରକାର ସଚେତନ ନୁହଁନ୍ତି । ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କୋଟିଆ ଓଡିଶାର ଥିଲା, ଅଛି ଓ ରହିବ ।
ବଜେଟ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା । କୋଟିଆ ପ୍ରସଙ୍ଗ ସହ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ସ୍ଥିତିକୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏପଟେ ଚାଷୀ ପ୍ରସଙ୍ଗକୁ ଉଠାଇ ବିଜେପି ସଦସ୍ୟମାନେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ। ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।
ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, କୋଟିଆ ଓଡିଶାର ଥିଲା, ଅଛି ଓ ରହିବ । ସେପଟେ ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ହେବା ପରେ ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି।