ସରକାରଙ୍କୁ ଘାରିଲାଣି ସଂକ୍ରମଣ ଭୟ..ପୁଣି କୋଭିଡ ହସ୍ପିଟାଲ ଚାଲୁ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ଏବେ କ‌ରୋନା ମିଟର ଉପରମୁହାଁ ହେଉଥିବା ବେଳେ ପୁଣି ସରକାରଙ୍କୁ ଘାରିଲାଣି କୋଭିଡ ଭୟ । କରୋନା ପ୍ରଥମ ଲହରର ପ୍ରଭାବ କମ ହେବା ପ‌ରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ପୌରପ୍ରଶାସକମାନଙ୍କୁ କୋଭିଡ ହସ୍ପିଟାଲକୁ ପୁଣି ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ସିଡିଏମ ଏବଂ ପିଏଚଓଙ୍କୁ ଚିଠି ଲେଖିଛନ୍ତି।ଚିଠିରେ ଆବଶ୍ୟକତା ଅନୁଯାୟୀ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ କୁହାଯିବା ସହ ଏ‌ଥି ପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

ସରକାରୀ ଏବଂ ବେସରକାରୀ ଚିକିତ୍ସା କେନ୍ଦ୍ର, ଯାହା କୋଭିଡ୍-୧୯ ମହାମାରୀର ପ୍ରଥମ ପର୍ୟ୍ୟାୟରେ କାର୍ୟ୍ୟକ୍ଷମ ହୋଇଥିଲା, ଆବଶ୍ୟକ ପଡ଼ିଲେ ୫୦ଟି ଶଯ୍ୟା ବୃଦ୍ଧି କରାଯାଇ ସେଗୁଡ଼ିକ ପୁଣି ଥରେ ଖୋଲାଯିବ। ଆଇସିୟୁ ସଂଖ୍ୟା ସାଧାରଣ ଶଯ୍ୟାର ୨୦% ହେବ ଏବଂ ଭେଣ୍ଟିଲେଟରର ଉପଲବ୍ଧତା ସମସ୍ତ ଆଇସିୟୁର ଅତି କମରେ ୫୦% ହେବ। ୧୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ଅସ୍ତ୍ରୋପଚାର, ଗର୍ଭବତୀ ମହିଳାମାନଙ୍କ ପାଇଁ ଚିକିତ୍ସା ସୁବିଧା ରହିବ, ଏନଆଇସିୟୁ ଏବଂ ଡାୟଲିସିସ୍ ପାଇଁ ସୁବିଧା ରହିବ।

ଜେନେରାଲ୍ ବେଡ୍ / ଆଇସିୟୁ / ଏନ୍ଆଇସିୟୁ / ଭେଣ୍ଟିଲେଟର୍ସ / ଓଟି / ଲେବର ଟେବୁଲ୍ / ଡାୟଲିସିସ୍ ଇତ୍ୟାଦି ବିଭିନ୍ନ ଶଯ୍ୟା ପାଇଁ ଭଡା ଏବଂ ଖର୍ଚ୍ଚ ମୂଲ୍ୟ ପୂର୍ବ ଭଳି ଅନୁମୋଦିତ ହେବ । ସମସ୍ତ ବୈଷୟିକ ସମସ୍ୟା ଏବଂ ରୋଗୀଙ୍କ ପଞ୍ଜୀକରଣ ପାଇଁ ଅତିରିକ୍ତ ଡିଏମଇଟି ପ୍ରଫେସର (ଡ।) ଉମାକାନ୍ତ ଶତପଥୀ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ହେବେ।

Comments (0)
Add Comment