ପିଲାଙ୍କ ଠାରେ ବ୍ୟାପୁଛି କରୋନା ସଂକ୍ରମଣ ! ରାଜ୍ୟରେ ୨ ଦିନର ୨ ଗୁଣା ବଢିଲାଣି ସଂକ୍ରମଣ । ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ଉପରମୁହାଁ ହେଲାଣି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟାରେ ୯ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ୨୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୯୨ ରହିଛି ।
ତେବେ ଗତ ୨୪ ଘଣ୍ଟାରେ କିଶୋର ସଂକ୍ରମଣକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ ଚିନ୍ତାଜନକ । କାରଣ ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ ୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଏହା ଏହି ଗ୍ରାଫ୍ ଗତ ୨ ଦିନ ମଧ୍ୟରେ ବୃଦ୍ଧି ପାଇଛି । ଗତ ୨୭ ତାରିଖରେ ରାଜ୍ୟରେ ୧୮ ବର୍ଷରୁ କମ ୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ୨୯ ତାରିଖରେ ଯେଉଁ ରିପୋର୍ଟ ଆସିଛି, ସେଥିରେ ୧୮ ବର୍ଷରୁ କମ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲାଣି । ଯାହା ଦର୍ଶାଉଛି ଏବେ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେହେତୁ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଏଯାବତ୍ କରୋନା ଟିକା ଦିଆଯାଇନାହିଁ, ତେଣୁ ସଂକ୍ରମଣ ବ୍ୟାପିବାର ଏହା ପ୍ରମୁଖ କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁଥିପାଇଁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯିବ । ଏହାର କିଛି ଦିନ ପରେ ହୁଏତ ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ତଳକୁ ଖସିପାରେ ।ଅନ୍ୟପଟେ ଟିକାକରଣ ପରେ ମଧ୍ୟ ଓମିକ୍ରନ ଭାରିଆଣ୍ଟରେ ଲୋକେ ସଂକ୍ରମିତ ହେଉଥିବାରୁ ଏହା ବେଶ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ।