ଓଡିଶା ଟିଭିର ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ ଘଟିଛି । ଓଡ୍ରାଫ୍ ଟିମ୍ ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । । କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଏନେଇ ଏସସିବି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।
ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଓଡ୍ରାଫ୍ ଟିମ୍ ର ବୋଟ୍ ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଏବଂ କ୍ୟାମେରା ପର୍ସନ ମଧ୍ୟ ରହିଥିଲେ । ନଦୀର ପ୍ରଖର ସ୍ରୋତରେ ବୋଟ୍ ଟି ଭାରସାମ୍ୟ ହରାଇ ଓଲଟିପଡିଥିବା । ଫଳରେ ବୋଟ୍ ରେ ଥିବା ୭ ଜଣ ନଦୀ ପାଣିରେ ବୁଡିଯାଇଥିଲେ । ୩ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଓଟିଭି କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।