ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଉପରୁ ଉଠିଛି ପରଦା । କେଉଁ ପରିସ୍ଥିତିରେ, କଣ ପାଇଁ, ଓ କାହିଁକି ୫ ବର୍ଷର କୁନି ଝିଅ ପରୀକୁ ହତ୍ୟା କରାଯାଇଥିଲା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ତାର ଗୁମର ଖୋଲଛନ୍ତି । ଅଭିଯୁକ୍ତ କଲେଜ ଛାତ୍ର ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି । ସରୋଜ ହତ୍ୟା କରିଥିବା ନେଇ ଏସଆଇଟିକୁ କେମିତି ପ୍ରମାଣ ମିଳିଥିଲା ତାର ପୁରା କାହାଣୀ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା
ନୟାଗଡ ଯଦୁପୁରରେ ପରୀ ଘର ପାଖରେ ହେଉଛି ଅଭିଯୁକ୍ତ ସରୋଜର ଘର । ଜୁଲାଇ ୧୪ରେ କୁନି ଝିଅ ପରୀକୁ ଦୁଷ୍କର୍ମ କରାଯାଇଥିଲା । ଯେତେବେଳେ ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ ଜାରି ହୋଇଥିଲା ,ସେତେବେଳେ ଗାଁରେ କିଏ ଓ କେତେଜଣ ରହୁଥିଲେ ପୁରା ଘର ଘର ବୁଲି ତଥ୍ୟ ନେଇଥିଲା ଏସଆଇଟି । ଗାଁର ୧୨୦ ପରିବାରର ଘରକୁ ଘର ଯାଂଚ ଯାଇ ଟିକିନିଖି ଯାଂଚ କରିଥିଲା ଏସଆଇଟି । ପୁରା ଗାଁ ତଦନ୍ତରେ ସହଯୋଗ କରିଥିଲା । କିନ୍ତୁ ସରୋଜ ସେଦିନ ଘରେ ଏକୁଟିଆ ଥିବା ଜାଣିବାକୁ ମିଳିଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା ଏସଆଇଟି ।
ସନ୍ଦେହ ଘେରରେ ଥିବା ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା ଏସଆଇଟି । ଆଉ ଯାଂଚ ବେଳେ ଏସଆଇଟି ଜାଣିବାକୁ ପାଇଥିଲା ଯେ, ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ଏହା ସହ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅରାଜି ହୋଇଥିଲା ସରୋଜ । ତା ପରେ ଏସଆଇଟିର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ଏହା ପରେ ପରିବାର ଲୋକ ବୁଝାସୁଝା କରିଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ।
ପ୍ରଥମରୁ ନୟାଗଡ ପୋଲିସ ତା ଉପରେ ସନ୍ଦେହ କରିଥିଲେ ବି ମୋବାଇଲର ଦିଗ ପ୍ରତି ଧ୍ୟାନ ଦେଇ ନଥିଲା । ଏହା ପରେ ଏସଆଇଟି ଟିମ୍ ତାକୁ ପଚରା ଉଚରା କରିବା ବେଳେ ତା ମୋବାଇଲ ବାବଦରେ ପଚାରିବାରୁ ସେ ନିଜର ମୋବାଇଲ ନାହିଁ ଓ ଭଉଣୀର ମୋବାଇଲ ବ୍ୟବହାର କରେ ବୋଲି କହିଥିଲା । ଏସଆଇଟି ସରୋଜ ଭଉଣୀର ମୋବାଇଲ ଆଣ ସେଥିରେ ଥିବା ସର୍ଚ୍ଚର୍ ହିଷ୍ଟୋରୀକୁ ତଦନ୍ତ କରିବା ପରେ ତା ମଧ୍ୟରେ ଏକ ସିକ୍ୟୁରିଟି ଫୋଲ୍ଡର ଥିବା ଦେଖିବାକୁ ପାଇଥିଲା । ଏନେଇ ସରୋଜକୁ ପଚରା ଉଚରା କରିଲେ ମଧ୍ୟ ସେ ପାସୱାର୍ଡ ଜାଣିନଥିବା କଥା କହିଥିଲା । ଏହା ପରେ ଏସଆଇଟିର ସାଇବର ଟିମ୍ ଏହି ଫୋଲ୍ଡର ଖୋଲି ଦେଖିବାରୁ ସେହି ଫୋଲ୍ଡରରେ କେବଳ ଚାଇଲ୍ଡ ପର୍ଣ୍ଣ ଭିଡିଓ ଓ ମୃତ ଶରୀର ସହିତ କିଭଳି ଯୌନ ସଂପର୍କ କରାଯାଏ ସେହି ଆଧାରିତ ଭିଡିଓ ଥିବା ଜଣାପଡିଥିଲା । ଏହିଠାରୁ ଏସଆଇଟିର ସନ୍ଦେହ ଦୃଢିଭୂତ ହୋଇଥିଲା ।