() ପଖାଳ ଆମ ପରିଚୟ, ପଖାଳ ଆମ ପରମ୍ପରା । ପଖାଳ ବି ଓଡିଆ ପ୍ରାଣର ପ୍ରତୀକ । କାହିଁ କେଉଁ କାଳରୁ ପଖାଳ ସହ ଜଡିତ ଓଡିଆ ଜାତିର ଜନଜୀବନ । ବାସି ପଖାଳର ମହକ, ଚାଇଁ ପଖାଳ ତୋରାଣୀ ମଜା ଅଲଗା । କେଉଁ ଚାଇନିଜ କି ଫାଷ୍ଟଫୁଡରେ ମିଳିବନି ପଖାଳ ଭଳି ଶାନ୍ତି । ସେଇଥି ପାଇଁ ତ ଖରା ହେଉ କି ଶୀତ, ବର୍ଷା ହେଉ କି ବସନ୍ତ । ପଖାଳ କଂସେ ଖାଇ ପେଟରେ ହାତ ବୁଲେଇ ହାକୁଟି ମାରିବା ବେଳେ ପାଟିରୁ ଆପଣାଛାଏଁ ବାହାରି ଆସେ ଓଃ କି ଶାନ୍ତି । ରାମ.. ରାମ… ରାମ
ସତରେ ପଖାଳର ବିକଳ୍ପ ନାହିଁ । ଓଡିଆଙ୍କ ପାଇଁ ପଖାଳ ହିଁ ପ୍ରିୟ ଖାଦ୍ୟ । ପଖାଳ କଥା ଉଠିଲେ ‘ଆସ ଜୀବନ ମୋ ପଖାଳ କଂସା’ ଗୀତ ମନେପଡେ । ଆହୁରି ମନେପଡେ ପିଲାବେଳେ କଳାଧଳା ଟିଭିର ଦୁରଦର୍ଶନ ଚାନେଲରେ ଦେଉଥିବା ମୋ ଓଡିଶା ଗୀତ । ଯେଉଁଥିରେ ପଖାଳକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି । ଓଡିଆ ମନ, ଓଡିଆ ପ୍ରାଣ ବୁଝେ ପଖାଳ କଂସା… ଗୀତର ଏ ଧାଡି ଆଜି ବି କାନରେ ପଡିଲେ ଦାଣ୍ଡ ପିଣ୍ଡାରେ ବସି ମାଉସୀ ଖାଉଥିବା ପଖାଳର ସେ କଳାଧଳା ଛବି ମନେପଡେ ।
ଆଜି ମାର୍ଚ୍ଚ ୨୦ । ବିଶ୍ୱ ପଖାଳ ଦିବସ । ଏହି ଦିନରେ ସମସ୍ତେ ପଖାଳ ଖାଇ ଓଡିଆ ସଂସ୍କୃତିରେ ପଖାଳର ମହତ୍ୱକୁ ବୁଝି ଥାଆନ୍ତି । ଆଜିକାଲି ତ ପଖାଳ ଏକ ଟ୍ରେଣ୍ଡ ହୋଇଗଲାଣି । ଖାସ କରି ସହରୀ ସଭ୍ୟତାରେ ପଖାଳ ଏବେ ପ୍ରେଷ୍ଟିଜିୟସ ଖାଦ୍ୟ । ସବୁଦିନ ନୁହେଁ ସେହି ପଖାଳ ଦିବସରେ କେବଳ । ଗୋଟିଏ ଫଟୋ ପାଇଁ ଜାବତିୟ ଆଇଟମର ଆୟୋଜନ କରାଯାଏ । ବଡ ବଡ ହୋଟେଲରେ ପଖାଳକୁ ନେଇ ପ୍ୟାକେଜ କରାଯାଏ । ଆଉ ପଖାଳ ଖାଇ ଲୋକେ ସୋସିଆଲ ମିଡିଆରେ ଫଟୋ ସହ ହ୍ୟାସଟ୍ୟାଗ ଟ୍ରେଣ୍ଡ କରାନ୍ତି ।
ସବୁପରେ ଖାଲି ପଖାଳ ଦିବସରେ ନୁହେଁ ସବୁବେଳେ ଯାହା ମନେପଡେ ତାହା ହେଲା ମାଆ ହାତର ପଖାଳ, ବୋଉ ହାତର ବଡିଚୁରା, ବାଇଗଣ ଭର୍ତ୍ତା ଆଉ ଗରମାଗମ ଶାଗ ଭଜା । ସତରେ ଗାଁରେ ପଖାଳର ମଜା ନିଆରା । ଖରା ଦିନେ ତ ନିଦରୁ ଉଠୁ ଉଠୁ ପଖାଳ ଖୋଜାଯାଏ । ଗାଁରେ ଚାଷୀଟିଏର ସାହା ଭରସା ପଖାଳ ତୋରାଣୀ । ବିଲରେ କାମ କଲାବେଳେ ହିଡରେ ବସି ଘରୁ ଟିପିନରେ ଯାଇଥିବା ପଖାଳ, ଖଟା, ଆଳୁ ପୋଜା, ଧାନୁଆ ଲଙ୍କା ଖାଇବାର ମଜା ଅଲଗା । ଚାରିଆଡେ ଧାନ ବିଲ ଆଉ ହିଡ ମଝିରେ ବସି ଚାଷୀଟିଏ ପଖାଳ ଖାଉଥିବ । ପିଲାଦିନେ ବାପା, କକା, ଜେଜେ ମାନଙ୍କ ସହ ବିଲରେ ଅନେକ ଥର ଖାଇଥିବେ ଆପଣମାନେ । ପଖାଳ କଥା ଉଠିଲେ ପିଲାଦିନର ସେ ଅଭୁଲା ସ୍ମୃତି ଆଜି ବି ମନେପଡିଯାଏ…
ଇଏ ତ ଗଲା ଗ୍ରୀଷ୍ମର ଦହନ ବେଳେ ପଖାଳର ପ୍ରେମ କାହାଣୀ । କିନ୍ତୁ ହାଡଭଙ୍ଗା ଜାଡରେ ବି ପଖାଳ ଖାଇବାର ମଜା ଭିନ୍ନ । ସକାଳର କଅଁଳ କିରଣ ଖଳାରେ ଠିକା ପଡିଥିବ କିମ୍ବା ପିଣ୍ଡାରେ ଖରା ଛାଇ ଆଲୁଅର ଖେଳ ଖେଳୁଥିବ ଏତିକି ବେଳେ ସ୍କୁଲ ଯିବା ପାଇଁ ରେଡି ହେଉଥିବେ ପିଲା । ଆଉ ମାଆ କଂସେ ପଖାଳ ବାଢିଦେବ । ରୋହି ମାଛ ଭଜା ହେଉ କି ଚୁନା ମାଛ ଅବା ହେଉ ବାଡି ସଜନା ଶାଗ । ଖାଡା ଖାଡା ଲଙ୍କା ସହ ଟିରେ ଲୁଣ ପକାଇ ମନ୍ଥି ଦେଲେ ଓଃ… ତା ବାସ୍ନାରେ ଅଧା ପେଟ ପୂରିଯାଏ । ପିଲାବେଳେ ଯେବେ ବି ଶୀତ ଆସେ ଖରା ପିଠିଆ ହୋଇ ପଖାଳ ଖାଇବା କଥା ସମସ୍ତଙ୍କ ମନେପଡେ ଆଉ ପଖାଳ ପ୍ରିୟରୁ ପ୍ରିୟତମା ସାଜେ…
ରିକ୍ସାବାଲା ହେଉ କି ଅଟୋବାଲା, ରଙ୍ଗମିସ୍ତ୍ରୀ ହେଉ କି ରାଜମିସ୍ତ୍ରୀ ସମସ୍ତେ ପଖାଳକୁ ସାଥିରେ ନେଇ ଜୀବିକା କରନ୍ତି । ଫୁଟଫାଥର ଫୁଙ୍ଗୁଳା ମଣିଷକୁ ଏଇ ପଖାଳ ହିଁ ବଞ୍ଚାଏ । ଅଧ ରାତିରେ ଅଫିସରୁ ଫେରୁଥିବା ଗୋଟେ କମ ବେତନ ଭୋଗୀର ପେଟ ପୁରାଏ ଏଇ ବାସି ପଖାଳ । ପଖାଳ ଧନୀଙ୍କୁ ଦେଖେ ଗରିବଙ୍କୁ ଦେଖେ । କିଏ ଖୁସି ପାଇଁ ପଖାଳ ଖାଏ ତ କିଏ ବଞ୍ଚିବା ପାଇଁ ।
ଖାଲି ମଣିଷ ନୁହେଁ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି । ବର୍ଷ ତମାମ ତାଙ୍କ ପାଖେ ଲାଗୁଥିବା ୫୬ ପଉଟି ଭୋଗରେ ପଖାଳ ଲାଗିହୁଏ । ଆଉ ମହାବାହୁ ମହାଆନନ୍ଦରେ ଖାଆନ୍ତି । ତେଣୁ ପଖାଳ ଓଡିଶାର ପରିଚୟ, ଓଡିଆଙ୍କ ଗର୍ବ । ଯିଏ ଓଡିଶା ଆସେ ସେ ପଖାଳ ଖୋଜେ, ଆଉ ତାଙ୍କୁ ପଖାଳ ବି ଖୁଆନ୍ତି ସମ୍ପର୍କୀୟମାନେ । ରାଜନୀତିରେ ବି ପଖାଳ ବେଶ ଗୁରୁତ୍ୱ ବହନ କରେ । ଯେବେଯେବେ ଦିଲ୍ଲୀରୁ ନେତା ନବୀନ ନିବାସ ଆସିଛନ୍ତି କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତି ଓଡିଶା ବୁଲିବାକୁ ଆସିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଓଡିଆର ପ୍ରିୟ ଖାଦ୍ୟ ପଖାଳ ଖୁଆଇବାର ନଜିର ରହିଛି । ତେଣୁ ଓଡିଶାକୁ ନେଇ ଗର୍ବ କରନ୍ତୁ ଆମ ପରମ୍ପରା, ଖାଦ୍ୟକୁ ନେଇ ବି ଗର୍ବ କରନ୍ତୁ କାରଣ ଓଡିଆଙ୍କ ଖାଦ୍ୟର ସ୍ୱତନ୍ତ୍ରତା ଟିକେ ନିଆରା । ହାପି ପଖାଳ ଦିବସ… ଖାଆନ୍ତୁ ପେଟେ ପଖାଳ…