ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ଓଡିଶାରେ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ ଆଲୋଚନା ହୋଇଛି । ପାରାଦୀପରୁ ବଡ଼ବିଲ ପର୍ୟ୍ୟନ୍ତ ରାସ୍ତା ହେବ ୮ ଲେନ୍ ବିଶିଷ୍ଟ। ୩୦୦ କିମି ରାସ୍ତା ୮ ଲେନ କରିବାକୁ ନୀତିନ ଗଡ଼କରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ପାରାଦୀପ ଠାରୁ ବଡବିଲ୍ ମଧ୍ୟରେ ୮ ଲେନ୍ ବିଶିଷ୍ଟ ଏହି ରାସ୍ତା ପ୍ରାୟ ୩୦୦ କିମି ବିଶିଷ୍ଟ ରହିବ । ଏଥିପାଇଁ ବଜେଟ୍ ରହିଛି ୯ ହଜାର କୋଟି ଟଙ୍କା । କେନ୍ଦୁଝର ଖଣି ଅଞ୍ଚଳରୁ ୩ ଶହ କିମି ଲମ୍ବ ଏହି ରାସ୍ତାର ଦ୍ବାରା ପାରାଦୀପ ବନ୍ଦରକୁ ଖଣିଜ ସାମଗ୍ରୀ ପରିବହନ ସୁଗମ ହେବ। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରୀ-କେନ୍ଦୁଝର-ରିମୁଳି-ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ରାସ୍ତା ଅର୍ଥନୈତିକ କରିଡର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ ପାଇଁ ବାଟ ଦେଖାଇବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଭାରତମାଳା ଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଛି। ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁର-ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଭୁବନେଶ୍ୱର ରିଙ୍ଗ ରୋଡ୍ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ବୈଠକରେ ରାଜ୍ୟରେ ଚାଲିଥିବା ରାଜପଥ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ନେଇ ବିଶେଷ ଭାବେ ଆଲୋଚନା ହୋଇଛି ।