‘ସୁରକ୍ଷା ଯୋଗାଇ ଦିଅନ୍ତୁ ସରକାର’

ଭୁବନେଶ୍ୱର ସାଂସଦ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ତାଙ୍କୁ କରାଯାଉଛି ବ୍ୟକ୍ତିଗତ ଟାର୍ଗେଟ । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି, ସେ ସୁରକ୍ଷିତ ନୁହନ୍ତି, ତାଙ୍କୁ ସୁରକ୍ଷା ଆବଶ୍ୟକ । ତାଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ୨୪ ଘଂଟା ମଧ୍ୟରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ ।

ଅପରାଜିତା କହିଛନ୍ତି, ଏହି ପ୍ରସଙ୍ଗକୁ ସେ ସଂସଦରେ ମଧ୍ୟ ଉପସ୍ଥାପନ କରିବେ । ବିଶୃଙ୍ଖଳା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ଦ୍ୱିତୀୟରେ ରହିଛି । ବିଜେଡି ଏହାକୁ ପ୍ରଥମ କରିବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅପରାଜିତା । ଆଜିଠାରୁ ପ୍ରତ୍ୟେକ ୱାର୍ଡ ଓ ସାରା ରାଜ୍ୟରେ ସେ ବୁଲିବେ । ତାଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ଅପରାଜିତା ।

ଗତକାଲି ଆଚାର୍ୟ୍ୟ ବିହାରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ସାଂସଦ । ଆଚାର୍ୟ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ତାଙ୍କ ଉପରକୁ ଢେଲା, ଅଣ୍ଡା ଓ ଟୋମାଟୋ ମାଡ ହୋଇଥିବା ଅଭିଯୋଗ ହୋଇଛି । ବିଜେପି-ବିଜେଡି ଟକରା ଟକରି ମଧ୍ୟରେ ବଳି ପଡ଼ିଲା ପୋଲିସ । ଟେକା ପଥର ମାଡରେ ୪ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ପାଖାପାଖି ୩ ଘଂଟା ଉତ୍ତେଜନା ଲାଗି ରହିଥିଲା ।

Comments (0)
Add Comment