ନୟାଗଡ ଯଦପୁରର ବହୁ ଚର୍ଚ୍ଚିତ ପରୀ ମୃତ୍ରୁ୍ୟ ମାମଲାରେ ଏସଆଇଟି ତଦନ୍ତ ଉପରେ ଖୁସି ଅଛନ୍ତି ହାଇକୋର୍ଟ । ଏସଆଇଟି ତଦନ୍ତରେ ଖୁସି ଜାହିର କରିଛନ୍ତି କୋର୍ଟ । ତଦନ୍ତର ଅଗ୍ରଗତି ସଠିକ ରହିଥିବା ହାଇକୋର୍ଟ କହିଛନ୍ତି । ଆଜି ପରୀ ମୃତ୍ୟ ମାମଲାରେ ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସର ମହଲତ ଦେଇଛନ୍ତି ।
ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଥିଲା। ତଦନ୍ତର ତିନୋଟି ଷ୍ଟାଟସ୍ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ୨୦୨୦, ଡିସେମ୍ବର ୧୫ରେ ପ୍ରଥମ, ଡିସେମ୍ବର ୨୩ରେ ପରବର୍ତ୍ତୀ ରିପୋର୍ଟ ଓ ୨୦୨୧, ଜାନୁଆରି ୧୧ରେ ତୃତୀୟ ରିପୋର୍ଟ ଦାଖଲ ହୋଇଥିଲା। ଏବେ କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ବରେ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଦାୟିତ୍ବରେ ଥିବା ବେଳେ ତଦନ୍ତର ଭଲ ଅଗ୍ରଗତି ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି ହାଇକୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି କୋର୍ଟ । ଏହା ସହ ଏସଆଇଟି ଦଦନ୍ତରେ ଖୁସି ଥିବା କହିଛନ୍ତି । ସିଲ କଭରରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୫ରେ ମାମଲାର ପରବର୍ତୀ ଶୁଣାଣୀ ହେବ ।
ସେପଟେ ଆବେଦନକାରୀ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ତରଫରୁ ଆଜି ସାନି ସତ୍ୟପାଠ ଦାଖଲ କରାଯାଇ ପରୀ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଉ ବୋଲି ଦର୍ଶାଯାଇଛି। ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟି ଗିରଫ କରିଥିବା ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ତାକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ନିକଟରେ ଗିରଫ ପରେ ହାଜର କରାଯିବା କଥା। କିନ୍ତୁ ଏସଆଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପ୍ରଥମେ ପୋକ୍ସୋ ଅଦାଲତରେ ହାଜର କରିଥିଲା। ଏଭଳି ଭାବେ ଏସଆଇଟି ଭୁଆଁ ବଲାଉଛି ଓ ପ୍ରକୃତ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଯାଇ ବିଳମ୍ବ କରି ଚାଲିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଯେଭଳି ଭାବେ ଏସଆଇଟି ତଦନ୍ତ କରୁଛି ତାକୁ ନେଇ ରାଜ୍ୟବାସୀଙ୍କ ଏସଆଇଟି ଉପରେ ଆଉ ଭରସା ନାହିଁ।
ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସ କୋର୍ଟରେ ହଜାର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବଳାସୁଧାର ଗୃହକୁ ପଠାଇଥିଲେ । ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନାହିଁ ।