ମୂଳୁ ମାରିଲେ ଯିବ ସରି… ଶୀତ ଅଧିବେଶନ ବନ୍ଦ କାହିଁକି?

ହକ ପାଇଁ ଶୀତ, କାକରରେ ଶୋଇ ରହିଛନ୍ତି ଚାଷୀ । ତଥାପି ଶୁଣୁ ନାହାନ୍ତି ସରକାର । ଗଳା ଫଟାଇ ଯେତେ ଚିତ୍କାର କଲେ ବି ମୋଦିଙ୍କ କାନରେ କିଛି ବି ପଡୁନି । କୃଷକଙ୍କ ପାଇଁ ନିଦା ବିଷ୍ଣୁ ସାଜିଛନ୍ତି ମୋଦି । ଏପରିସ୍ଥଳର ସମସ୍ତଙ୍କ ଆଶା ଥିଲା, ଆନ୍ଦୋଳନରେ ନହେଲା ନାହିଁ ସଂସଦ ଭିତରେ ଚାଷୀ ତାତିରେ ଚିତ୍ ମାରିବେ ସରକାର ଆଉ ବିରୋଧୀଙ୍କ ବାଣରେ ଘାଇଲା ହୋଇ କୃଷକଙ୍କ ଦାବିକୁ ମାନିନେବେ । ହେଲେ ଅକଳରେ ପଡିବା ଆଗରୁ ଚାଲାକ ସରକାର ଠିକ ସମୟରେ ଠିକ ବୁଦ୍ଧି ଖଟାଇଛନ୍ତି । ମୂଳୁ ମାରିଲେ ଯିବ ସରି ଦେବଙ୍କ ସହ କିମ୍ପା କଳି… ଏହି ନ୍ୟାୟରେ ସଂସଦର ଶୀତ ଅଧିବେଶନକୁ ବନ୍ଦ କରି ଦିଆଯାଇଛି । ନା ଥିବ ବାଉଁଶ ନା ବାଜିବ ବଇଁଶୀ… ସଂସଦ ଚାଲିଲେ ତ ସରକାରଙ୍କୁ ଚାଷୀ ଚକ୍ରବ୍ୟୁହରେ ପକାଇ ଘେରିବେ ବିରୋଧୀ । ଯଦି ସଂସଦ ବନ୍ଦ ରହେ ତେବେ କଣ କରିବେ ବିରୋଧୀ ?

ମହାମାରୀ ପାଇଁ ଏଥର ବସିବନି ସଂସଦର ଶୀତ ଅଧିବେଶନ । ଶୀତ ଦିନ ସଂକ୍ରମଣ ପାଇଁ ବେଶ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଧିବେଶନ ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଦିଲ୍ଲୀରେ କରୋନା ବଢି ଚାଲିଥିବା ବେଳେ ଶୀତରେ ଅଧିକ ସତର୍କତା ପାଇଁ ଏଥରର ଅଧିବେଶନକୁ ରଦ୍ଦ କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାର କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆଗାମୀ ଜାନୁୟାରୀ ମାସରେ ଏକାଥରେ ବଜେଟ ଅଧିବେଶନ ଆରମ୍ଭ ହେବ । ତେବେ ଅଧିବେଶନ ବନ୍ଦ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ମୋଦି ସରକାର ଚାଷୀଙ୍କୁ ଡରିଗଲେ, ଆଲୋଚନା ପାଇଁ ଆଗକୁ ଆସିଲେନି ବୋଲି ବିରୋଧୀ କହିଛନ୍ତି ।

ପ୍ରତି ୬ ମାସରେ ଥରେ ସଂସଦର ଅଧିବେଶନ ଡକାଯିବା ନେଇ ସମ୍ବିଧାନରେ ନିୟମ ରହିଛି । ଗତ ସେପ୍ଟେମ୍ବର ମାସରେ ମୌସୁମୀ ଅଧିବେଶନ ବସିଥିବା ବେଳେ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଶୀତ ଅଧିବେଶନ ଆରମ୍ଭ ହେବା କଥା ମାତ୍ର ଏଥର ଦିନ ଗଡାଇ ଚାଲିଥିବା ସରକାର ଶେଷରେ ଚାଷୀଙ୍କୁ ଡରି ହାତ ଟେକି ଦେଇଥିବା ଅନୁମାନ କରିହେଉଛି । ମୌସୁମୀ ଅଧିବେଶନରେ ପାରିତ ହୋଇଥିଲା ନୂଆ କୃଷି ଆଇନ । ଆଉ ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ, ଆନ୍ଦୋଳନ, ପ୍ରତିବାଦ ଦେଖାଦେବା ପରେ ମୌସୁମୀର ଆଇନ ଶୀତରେ ସଂଶୋଧନ ହେବ ବୋଲି ଆଶା ଥିଲା । ଆଇନ ପ୍ରତ୍ୟାହାର ନୁହେଁ ବରଂ ବିଲରେ କିଛିଟା ପରିବର୍ତ୍ତନ ଆଣି, ସଂଶୋଧନ କରି ଚାଷୀଙ୍କ ଦାବିକୁ ମାନି ନେବାକୁ କଂଗ୍ରେସ ଦାବି କରିଥିଲା । କୃଷକଙ୍କ ହକର ଲଢେଇରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସରକାର ଶୀତ ଅଧିବେଶନ କରନ୍ତୁ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଦାବି କରିଥିଲେ ହେଲେ ଶେଷରେ ଏଥର ରଦ୍ଦ ହୋଇଛି ଅଧିବେଶନ ।

ତେବେ ଚାଷୀ ପ୍ରସଙ୍ଗରେ ବ୍ୟାକଫୁଟରେ ଥିବେ ମୋଦି ସରକାର କୃଷକଙ୍କ କଥାକୁ କର୍ଣ୍ଣପାତ କରୁ ନାହାନ୍ତି । କାଳେ ଅଧିବେଶନ ଚାଲିଲେ ଚାଷୀ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବେ । ହୋହଲ୍ଲା, ନାରାବାଜି ସହ ଗୃହରେ ହଙ୍ଗାମା କରି ସରକାରଙ୍କ ଗୋଲାପୀ ଚେହେରାକୁ ଦେଶ ଆଗରେ କଳା କରିଦେବେ ତେଣୁ ସେହି ଡରରେ ମୋଦି ସରକାର ଏଥର ଶୀତ ଅଧିବେଶନ ବନ୍ଦ କରିଥିବା ବିରୋଧୀ ଅଭିଯୋଗର ଲମ୍ବା ଫର୍ଦ୍ଦ ବାଢିଛନ୍ତି । ଚାଷୀଙ୍କ ପାଇଁ ଚିତ୍‌କାର କରୁଥିବା ମୋଦି ଯେ ଚାଷୀଙ୍କ ହକକୁ ହୃଦୟଙ୍ଗମ କରୁ ନାହାନ୍ତି ତାହା ଏ ଘଟଣାରୁ ସ୍ପଷ୍ଟ ଅନୁମାନ କରିହେଉଥିବା ବିରୋଧୀ ବଡ ପାଟିରେ କହିଛନ୍ତି ।

ଦୀର୍ଘ ୨୦ ଦିନ ଧରି ହାଡଭଙ୍ଗା ଶୀତରେ ଘର, ପରିବାରଠୁ ଦୂରରେ ରହି ନିଜ ହକ ପାଇଁ ସତ୍ୟାଗ୍ରହ କରୁଥିବା କୃଷକଟି ସେହି ଟିକକ ଆଶା ନେଇ ପଡି ରହିଛି । କାଳେ ସରକାର ତାଙ୍କ କଥା ଶୁଣିବେ ଆଉ ତାଙ୍କୁ ତାଙ୍କ ହକ ଫେରାଇ ଦେବେ । ସରକାରଙ୍କ ପାଟିରୁ ଏ ପଦିଏ କଥା ଶୁଣିବାକୁ ଅନ୍ନଦାତା ଅପେକ୍ଷା କରି ରହିଛନ୍ତି । ହେଲେ ନା ସରକାର ଶୁଣୁଛନ୍ତି, ନା ଚାଷୀ ଘରକୁ ଫେରି ପାରୁଛନ୍ତି । କେବେ ସରକାର କୃଷକଙ୍କ ଦାବି ମାନିବେ ତାହାରି ଉପରେ ନଜର ରହିଥିବା ବେଳେ ଶୀତ ଅଧିବେଶନ ବନ୍ଦ ନେଇ ସରକାରଙ୍କ ଉପରକୁ ଅନେକ ପ୍ରଶ୍ନ ଆଙ୍ଗୁଠି ଉଠାଇଛି । ସତରେ କଣ ସରକାର ସତ୍ୟର ସାମ୍ନା କରିବାକୁ ଚାହୁଁ ନାହାନ୍ତି ? ନା ଚାଷୀଙ୍କ ଲଢେଇକୁ ଖାମ ଖିଆଲି ଭାବେ ନେଉଛନ୍ତି? ଆନ୍ଦୋଳନ ଆଡେ ନଜର ଅନ୍ଦାର କରି କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର? ମୋଦି ସରକାରଙ୍କ ଏ କଠୋର ଆଭିମୁଖ୍ୟ, ଏ ନିଷ୍ଠୁରତା ଗୋରା ସରକାର ଆଗରେ ସ୍ୱାଧୀନତା ପାଇଁ ଭାରତୀୟଙ୍କ ଆନ୍ଦୋଳନର ଅଭାବନୀୟ ଦୃଶ୍ୟକୁ ମନେପକାଇ ଦେଉଛି ?

Comments (0)
Add Comment