କରୋନା କଟକଣା ଭିତରେ ଯେତେବେଳେ ଗଂଜାମର ଲୋକେ ଛଟପଟ ହେଉଥିଲେ ସେତେବେଳେ ଚାର୍ଟର ପ୍ଲେନରେ ବସି ମେଟ୍ରୋ ସିଟି ବୁଲୁଥିଲେ ଦୁଇ ବନ୍ଧୁ । ଲୋକେ ତାଲାବନ୍ଦ ଭିତରେ ଥିବା ସମୟରେ ସେମାନେ ଆକାଶରେ ଉଡୁଥିଲେ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୂଆ ବନ୍ଧୁ ପାଠକ ପରିବାରର ସହ ବ୍ୟୟବହୁଳ ଯାତ୍ରା କରିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ।
ପାଠକ ପରିବାର ଓ ପାଣିଗ୍ରାହୀ ପରିବାର ତାଜ ହୋଟେଲରେ ରହି ଜୀବନକୁ ଉପଭୋଗ କରୁଥିଲେ । ତାଜ ହୋଟେଲରେ ରହିବା,ଖାଇବା ପାଇଁ ଦରକାର ପୁଳା ପୁଳା ଟଙ୍କା । ଯାହାକି ଏମାନଙ୍କ ପାଖରେ କମି ନଥିଲା । କଳାଟଙ୍କାର ପାହାଡ ଗଢିଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପରିବାର ସହ ବନ୍ଧୁ ବାନ୍ଧଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ଦାମୀ ହୋଟେଲରେ କେଉଁ ଭଳି ଭାବେ ଟଙ୍କା ଖର୍ଚ୍ଚ କରିଥିଲେ ତାର ତାଲିକା ଯେ କେହି ବି ଚମକି ପଡିବ । ତାଜ ହୋଟେଲର ଦିନକର ରୁମ ଭଡ଼ା ଥିଲା ୨ ଲକ୍ଷ ୭୧ ହଜାର ଟଙ୍କା । ଲକଡାଉନ ସମୟରେ ସାରା ଦେଶରେ ସଂକଟ ସ୍ଥିତି ଦେଇ ଗତି କରୁଥିବାବେଳେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ ଦୁଇ ପରିବାର ।
ଚାର୍ଟରେ ପ୍ଲେନରେ ମୁମ୍ବାଇରୁ ଦିଲ୍ଲୀକୁ ଯାଇଥିଲେ ଦୁଇ ପରିବାର । ଆଉ ଦିଲ୍ଲୀର ତାଜ ହୋଟେଲରେ ୩ ଦିନ ରହିଥିଲେ । ତାଜ ହୋଟେଲର ଏହି ବିଲ ଏବେ ସାମାନକୁ ଆସିବା ପରେ ସେମାନଙ୍କ ବିଳାସମୟ ଜୀବନ ସଂର୍ପକରେ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ଅଭୟକାନ୍ତ ପାଠକଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ ।