ପାଠକ ବାପ,ପୁଅଙ୍କୁ ଜାମିନ୍

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ଆଇଏଫ୍‌ଏସ୍‌ ଅଭୟ ପାଠକ ଏବଂ ଆକାଶ ପାଠକଙ୍କ ବିରୁଦ୍ଧରେ ଖାରମେଳ ନଗରରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହା ପୂର୍ବରୁ ଜାନୁଆରୀ ୨୭ ତାରିଖରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ଦେଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ତେବେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ଜାମିନ ମିଳିଥିଲା। ଏହି ସମୟରେ ତାଙ୍କ ବିରୋଧରେ ଅନ୍ୟ ମାମଲା ଥିବାରୁ ସେମାନେ ଜେଲରେ ରହିଥିଲେ । ଏବେ ତାଙ୍କୁ ହାଇକୋର୍ଟ ମଧ୍ୟ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିସାରିଛି । କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ୨୪ ଲକ୍ଷ ଟଙ୍କା କ୍ୟାସ୍ ସ୍ୟୁରିଟି ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାଙ୍କ ନାମରେ ଅନ୍ୟ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ସୂଚନା ମିଳିଛି।

ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏପରିକି ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି।

Comments (0)
Add Comment