ଅସୁରକ୍ଷିତ ରାଜଧାନୀ । ଯେତିକି ସ୍ମାର୍ଟ ହେବାରେ ଲାଗିଛି ଭୁବନେଶ୍ୱର ସେତିକି କ୍ରାଇମ ମଧ୍ୟ ବଢି ଚାଲିଛି । ଚୋରି, ଲୁଟ, ମର୍ଡର,ଏସବୁ ଏବେ ନିତିଦିନିଆ ଘଟଣା ପାଲଟିଛି । ଶନିବାର ଦିନ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଘଟିଛି ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ମର୍ଡର । ଗୋଡାଇ ଗୋଡାଇ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ ।
ଶନିବାର ଦିନ ପୂର୍ବାହ୍ନ ସମୟରେ ଭୁବନେଶ୍ୱରର ସିଆର୍ପିଏଫ୍ ଛକରେ ଜଣେ ଯୁବକଙ୍କୁ ଆସି କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଏପିରିକି ଯୁବକ ଗୋଡେଇ ଗୋଡେଇ ମଧ୍ୟ ହାଣିଥିଲେ । ଦୁଇ ଜଣ ଯୁବକ ପିକ୍ଅପ୍ ଭ୍ୟାନ
ଭିତରେ ଜଣକୁ ଆଣି ହତ୍ୟା କରିଛନ୍ତି । ଦିନ ଦ୍ବିପହରରେ ଯେଉଁ ହତ୍ୟାକାଣ୍ଡ ଘଟିଲା ତାର ପୂରା କାହାଣୀ କହିଛନ୍ତି ଡିସିପି ଉମାଶଙ୍କର ମିଶ୍ର । ସାଲିଆ ସାହିର ୩ ଯୁବକ ସାଗର ପୃଷ୍ଟି, ସୁଧୀର ପୃଷ୍ଟି ଓ ଟୁକୁନା ଦାସ ଓରଫ ଜଟ ଏକ ପିକ୍-ଅପ୍ ଭ୍ୟାନରେ ଆସୁଥିବା ବେଳେ ସିଆରପି ଛକରେ ଅଟକି ଯାଇଥିଲା ଗାଡି । ହଠାତ ଗାଡିଟିକୁ ଅଟକାଇ ଦେଇ ସୁଧିର ଓ ସାଗର ଏକ ଛୋଟ ମାରଣାସ୍ତ୍ରରେ ଟୁକୁନାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଚାନକ ରାସ୍ତା ଉପରେ ଏପରି ହିଂସାକାଣ୍ଡ ଦେଖି ଉତକ୍ଷିପ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଗାଡି ପାଖକୁ ମାଡି ଯାଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିସ୍ତୁକ ପିଟିଥିଲେ । ଛକ ଉପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶ ଜାରି ରହିଥିବା ବେଳେ ଭିଡ ଭିତରୁ ଜଣେ ମହିଳା ପିସିଆରକୁ ଫୋନ କରିଥିଲେ ।
ଆଖି ଆଗରେ ଏକ ନୃଶଂସ ହତ୍ୟାକାଣ୍ଡ ଦେଖିଥିବା ଲୋକେ ଏତେ ଉତକ୍ଷିପ୍ତ ହୋଇପଡିଥିଲେ ଯେ ଘଟଣାସ୍ଥଳରେ ପହଂଚିଥିବା ପିସିଆରକୁ ବି ଛାଡି ନଥିଲେ । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ୨ରୁ ୩ଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ହସ୍ପିଟାଲ ପଠାଇଥିଲେ ।ଡିସିପି ଉମାଶଙ୍କର ମିଶ୍ର କହିଛନ୍ତି ୩ ଜଣଙ୍କ ଭିତରେ ଆଗରୁ ବଚସା ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଓ ଆଜି ସକାଳରୁ ମଧ୍ୟ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ଟୁକୁନାକୁ ଗାଡିରେ ବସାଇ ନେଇ ଆସିଥିଲେ ସାଗର ଓ ସୁଧିର । ଗାଡି ଭିତରେ ହିଁ ସେମାନେ ଟୁକୁନାକୁ ଆକ୍ରମଣ କରିଥିଲେ । ମୃତ ଟୁକୁନା ନାଁରେ ଆଗରୁ ମଧ୍ୟ ନୟାପଲ୍ଲୀ ଥାନାରେ ମାରପିଟ ମାମଲା ରହିଛି ।
ମୃତ ଟୁକୁନାଙ୍କର ଜଣେ ବନ୍ଧୁ ବୟାନ ଦେଇ କହିଛନ୍ତି କି ଟୁକୁନାଙ୍କ ଭଉଣୀ ସହ ସୁଧୀରଙ୍କର ପୂର୍ବରୁ ପ୍ରେମ ସଂପର୍କ ରହିଥିଲା। ଯୁବତୀ ଜଣଙ୍କର ଅନ୍ୟତ୍ର ବିବାହ ହୋଇ ଯାଇଥିଲେ ମଧ୍ୟ ସୁଧୀର ତାଙ୍କର କିଛି ଭିଡିଓ ନିଜ ନିକଟରେ ରଖିଥିଲେ। ସେହି ଭିଡିଓକୁ ଡିଲିଟ୍ କରିଦେବା ପାଇଁ ଟୁକୁନା ବାରମ୍ବାର ଚାପ ପକାଉଥିଲେ। ଏହି କଥାକୁ ନେଇ ୩ ଜଣଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଉପୁଜୁଥିଲା। ଆଜି ମଧ୍ୟ ଏହି କଥାକୁ ନେଇ ବଚସା ହେବାରୁ ସୁଧୀର ଓ ସାଗର ଟୁକୁନାଙ୍କୁ ଆକ୍ରମଣ କରି ତାଙ୍କର ହତ୍ୟା କରିଥିବା ଅନୁମାନ କରାଯାଉଛି।