ମହାମାରୀ ବେଳେ ମହଙ୍ଗା ମାଡ଼ । ସଂକ୍ରମଣ ଉପରମୁହାଁ ଥିବା ବେଳେ ରାଜ୍ୟରେ ସେଂଚୁରୀ ମାରିଛି ପେଟ୍ରୋଲ ଦର । ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ମହାମାରୀ ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।
ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ୧୦୦ ଟଙ୍କା ୮ ପଇସା ଥିବା ବେଳେ ଡିଜେଲ ୯୭ ଟଙ୍କା ୭୪ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ୧୦୧ ଟଙ୍କା ୦୧ ପଇସା ଥିବା ବେଳେ ଡିଜେଲ ୯୮ଟଙ୍କା ୫୮ ପଇସା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଗତ ୨ ମାସ ଭିତରେ ପେଟ୍ରୋଲ ଦର ଲିଟର ପ୍ରତି ୩ ଟଙ୍କା ୪୫ ପଇସା ଓ ଡିଜେଲ୍ ଦର ୪ ଟଙ୍କା ୪୩ ପଇସା ବଢ଼ିଛି ବୋଲି ଉତ୍କଳ ପେଟ୍ରୋଲ ପମ୍ପ ମାଲିକ ସଂଘ ସାଧାରଣ ସଂପାଦକ ସଞ୍ଜୟ ଲାଠ୍ କହିଛନ୍ତି। ଗତ ୧୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୭ ଥର ବୃଦ୍ଧି ଘଟିଛି।
ତେଲଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତୈଳବୃଦ୍ଧି ଯୋଗୁ ବଜାରରେ ଅନ୍ୟସବୁ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି । ସଂକ୍ରମଣ ବ୍ୟାପୁଥିବା ବେଳେ ଏବେ ତୈଳ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦୁଇଗୁଣିତ କରିଦେଇଛି ।