ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ଦୀର୍ଘ ୪ ମାସ ପରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ୮୦ ପଇସା ବୃଦ୍ଧି ପାଇଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ । ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ । ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା । ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ। ତାହା ତୈଳ ଦରବୃଦ୍ଧି ଧାରାର ଆରମ୍ଭ ଥିଲା ।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କା ହୋଇଯାଇଛି । ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି ।ଆଇଓସିଏଲର ତଥ୍ୟ ଅନୁସାରେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । ସେହିପରି ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଥିବା ବେଳେ ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୬୬ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିବା ବେଳେ ୮୬ ପଇସା ବଢି ୯୨ ଟଙ୍କା ୪୮ ପଇସାରେ ପହଂଚିଛି ।

Comments (0)
Add Comment