ପିପିଲି ତାରିଖ ଘୋଷଣା କେବେ?

ପିପିଲି ଉପ ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜ ପ୍ରସ୍ତୁତି ଜୋରଦାର ଚଳାଇଥିବା ବେଳେ ନିର୍ବାଚନ କମିଶନ କିନ୍ତୁ ତାରିଖ ଏଯାଏଁ ଘୋଷଣା କରିନାହାନ୍ତି । ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ସହ ଅପେକ୍ଷା କରାଯାଇଥିଲା ପିପିଲି ପାଇଁ ତାରିଖ ଘୋଷଣା ହୋଇଯିବ, ହେଲେ ସେଭଳି କିଛି ଦେଖିବାକୁ ମିଳିଲା ନାହିଁ । ଅନୁମାନ କରାଯାଇଛି ଆଜି କିମ୍ବା ଆସନ୍ତାକାଲି ଅର୍ଥାତ୍ ସୋମବାର କିମ୍ବା ମଙ୍ଗଳବାର ତାରିଖ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି । କୁହାଯାଉଛି, ମେ’ ୨ ହିଁ ଫଳାଫଳର ତାରିଖ ହେବ । ତେଣୁ ଏହାର ୪୫ ଦିନ ଆଗରୁ ନିର୍ବାଚନ ତାରିଖ ଘୋଷଣା ହେବ । ଏହାରି ଆଧାରରେ ଯଦି ହିସାବ କରାଯାଏ ତେବେ ମାର୍ଚ୍ଚ ୧୫ ଅବା ୧୬ ତାରିଖରେ ପିପିଲି ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇପାରେ ।

ପିପିଲି ପାଇଁ କେଉଁ ଦଳର କିଏ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଜୋର ହୋଇଛି । ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମରେ ବୟାନ ରଖି କହି ସାରିଛନ୍ତି, ମହାରଥୀଙ୍କ ପରିବାରରୁ କିଏ ଜଣେ ଟିକେଟ ପାଆନ୍ତୁ ବୋଲି ଭୋଟରଙ୍କ ମଧ୍ୟରେ ଆଗ୍ରହ ରହିଛି । ତେଣୁ ବିଜେଡି ପ୍ରତିଭା ମହାରଥୀ ନା ରୁଦ୍ର ମହାରଥୀ କାହାକୁ ଟିକେଟ ଦେବ ସେନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ କ୍ୟାମ୍ପ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଛି, ଉପରକୁ ଦେଖାଯାଉନଥିଲେ ମଧ୍ୟ ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣରେ ରଖିବା ବିଜେଡି ପାଇଁ ଏକ କଷ୍ଟକର ବ୍ୟାପାର ହୋଇସାରିଲାଣି । ତେଣୁ ତାରିଖ ଘୋଷଣା ପରେ ଟିକେଟ ଚୟନ ଏକ ବଡ ଆହ୍ୱାନ ଭରା ଦିଗ ସାମ୍ନାକୁ ନେଇଆସିବ ।

ସେହିଭଳି ୨୦୧୯ରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ନଜର କିନ୍ତୁ ରହିବ କଂଗ୍ରେସ ଉପରେ । କାରଣ ବିଜେପି ଏଠି ବିଜେଡିକୁ କଡା ଟକ୍କର ଦେଇଥିଲା । ପାଖାପାଖି ୧୬ ହଜାର ଭୋଟରେ ଯଦିଓ ପ୍ରଦୀପ ମହାରଥୀ ଏଠି ଜିତିବାରେ ସକ୍ଷମ ହୋଇଥିଲେ କିନ୍ତୁ ଏଥିପାଇଁ ତାଙ୍କୁ ଅନେକ କସରତ କରିବାକୁ ପଡିଥିଲା । କଂଗ୍ରେସ ଭୋଟ ବିଭାଜନ କରି ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିଜ କ୍ୟାମ୍ପକୁ ଆଣିବା ହିଁ ପ୍ରଦୀପଙ୍କ ପାଇଁ ଅଶୀର୍ବାଦ ହୋଇଥିଲା । ସେହିଭଳି ଉପ ନିର୍ବାଚନରେ କଂଗ୍ରେସ ପାଖରେ ଥିବା ପ୍ରାୟ ୧୦ ହଜାର ଭୋଟକୁ ଭାଙ୍ଗିବାରେ ଏକ ବଡ ଭୁମିକା କିଏ ନେବ, ତାଉପରେ ଅନେକ କିଛି ନିର୍ଭର କରିବ ।

ଉପ ନିର୍ବାଚନ ଜିତିବାର କଳା କୈାଶଳ ବେଶ ଭଲ ଭାବେ ଜାଣିଥିବା ବିଜେଡି ପାଇଁ ବିଜେପି ଆଉ କଂଗ୍ରେସ ଯେତିକି ଚ୍ୟାଲେଂଜ ଦେବେନି ସେତିକି ଚ୍ୟାଲେଂଜ ଟିକେଟ ଚୟନ ସମୟରେ ଦେଖିବାକୁ ମିଳିବ । କୁହାଯାଉଛି ଉଭୟ ମା’ କିମ୍ବା ପୁଅ ଯିଏ ବି ଟିକେଟ ପାଇଲେ ମଧ୍ୟ ଏହାର ଏକ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ତେଣୁ ବାଲେଶ୍ୱର ଭଳି ଫର୍ମୁଲା ଦଳ ଏଠି ସାମ୍ନାକୁ ବି ଆଣିପାରେ । ଅର୍ଥାତ୍ ପରିବାର ଭିତରେ ଟିକେଟକୁ ନେଇ ଯଦିନ୍ନ୍ଳ ବଢେ ତେବେ ସରପ୍ରାଇଜ କ୍ୟାଣ୍ଡିଡେଟ ସାମ୍ନାକୁ ଆଣିପାରନ୍ତି ବିଜେଡି ମୁଖିଆ ।

Comments (0)
Add Comment