ପିପିଲି ଉପନିର୍ବାଚନ ତାରିଖ ଘୁଂଚିବ। ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋଷଣା ହେବ । ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି।
ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ପୁଣି ଥରେ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ। ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ଦ୍ବାରା ନାମାଙ୍କନ କରାଯାଇଥିବା ପ୍ରାର୍ଥୀମାନଙ୍କର ନାମ ବଳବତ୍ତର ରହିବ।ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା।
ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେଡି ନେତା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ିଥିଲେ। ଅଜିତ ମଙ୍ଗରାଜଙ୍କୁ ମୋଟ୍ ୯୮୦୦ ଖଣ୍ଡ ଭୋଟ ମିଳିଥିଲା। ଲୋକଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ସେଥିପାଇଁ ତାଙ୍କ ପ୍ରତି କଂଗ୍ରେସ ଭରସା ରଖି ଏଥର ଟିକେଟ ଦେଇଥିଲା।