ବାପା ଥିଲା ପୁଅ ସଭାରେ ହାରେନି, ମାଆ ଥିଲା ପୁଅ ଜୀବନରେ ହାରେନି… ଯା ପୁଅ ଯା, ବିଜୟୀ ହୋଇ ଆ । ତୋ ସହ ତୋ ବାପାଙ୍କ ଆଶୀର୍ବାଦ ଅଛି, ତୋ ମୁଣ୍ଡ ଉପରେ ମୋ ବରଦ ହସ୍ତ ଅଛି… ତୁ ନିଶ୍ଚୟ ଜିତିବୁ, ନିଶ୍ଚୟ ଜିତିବୁ… ପୁଅ ମଥାରେ ବିଜୟର ତିଳକ ପିନ୍ଧାଇ ଏମିତି ଆଶିଷ ଢାଳି ଦେଇଛି ମାଆ । ପିପିଲି ଯୁଦ୍ଧ ପୂର୍ବରୁ ପୁଅକୁ ସଜେଇ ମୈଦାନକୁ ଛାଡିଛି ମାଆ । ନାମାଙ୍କନ ଭରିବାକୁ ଯିବାବେଳେ ନତମସ୍ତକ କରି ମାଆର ଆଶୀର୍ବାଦ ଭିକ୍ଷା କରିଥିଲେ ବିଜେଡିରି ପିପିଲି ପ୍ରାର୍ଥୀ ରୁଦ୍ର ପ୍ରତାପ । ଆଉ ମାଆ ପୁଅକୁ ବନ୍ଦାଣ କରି ବିଜୟର ଟୀକା ପିନ୍ଧାଇ ଦେଇଥିଲେ । ଲଢେଇ ପୂର୍ବରୁ ମାଆ-ପୁଅଙ୍କ ଏ ଭାବଭରା ଦୃଶ୍ୟ ଦେଖୁଥିଲେ ପିପିଲିବାସୀ, ଦେଖୁଥିଲା ଓଡିଶା ।
ପିପିଲି ଉପନିର୍ବାଚନ ପାଇଁ ଗତକାଲି ହୋଇଥିଲା ନାମାଙ୍କନ । ଆଉ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯିବା ପୂର୍ବରୁ ବାପାଙ୍କ ଫଟୋକୁ ମୁଣ୍ଡିଆ ମାରି ବିଶାଳ ପଟୁଆର ନେଇ ନାମାଙ୍କନ ଭରିବାକୁ ଯାଇଥିଲେ ରୁଦ୍ର । ଘରୁ ମାଆଙ୍କ ଆଶୀର୍ବାଦ ନେଇ ବିଜେଡି ପାର୍ଟି ଅଫିସ ନିକଟ ମନ୍ଦିରରେ ପୂଜାର୍ଚ୍ଚନା କରି ନାମାଙ୍କନ ଭରିବାକୁ ଯାଇଥିଲେ ଆଉ ବହୁ ବରିଷ୍ଠ ନେତା ମନ୍ତ୍ରୀଙ୍କ ଗହଣରେ ନିଜର ନାମାଙ୍କନ ଦାଖଲ କରିଥିଲେ ଜୁନିୟର ମହାରଥୀ ।
ତେବେ ପିପିଲି ଡେଲାଙ୍ଗବାସୀଙ୍କ ସୁଖ ଦୁଃଖ ବୁଝିବାକୁ ପ୍ରଦୀପଙ୍କ ପରେ ତାଙ୍କ ପୁଅ ପ୍ରତାପଙ୍କୁ ଯେମିତି ନବୀନ ବିଶ୍ୱାସ କରିଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରୁଦ୍ରଙ୍କ ମାଆ ପ୍ରତିଭା । ପୁଅର ବିଜୟ ନେଇ ପ୍ରତିଭା କହିଛନ୍ତି ମୋର ଆଶା ସମସ୍ତଙ୍କ ଆଶୀର୍ବାଦ ମୋ ପୁଅ ଉପରେ ଅଛି ଆଉ ସେ ଏଥର ନିଶ୍ଚୟ ଜିତିବ । ତା ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବ ରୁଦ୍ର । ଟିକେଟକୁ ନେଇ ମାଆ-ପୁଅଙ୍କ ମଧ୍ୟରେ ମତାନ୍ତର ଭଳି ଯେଉଁ ଚର୍ଚ୍ଚା ହେଉଥିଲା ସେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପ୍ରତିଭା । ଆମେ ସବୁ ଗୋଟିଏ ପରିବାର, ସରକାରୀ କର୍ମଚାରୀ ହୋଇଥିବାରୁ ମୁଁ ପ୍ରତ୍ୟେକ୍ଷ ନୁହେଁ ପରୋକ୍ଷ ଭାବେ ପୁଅକୁ ସହଯୋଗ କରିବି ବୋଲି ସ୍ପଷ୍ଟ କରିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ତଥା ଜୁନିୟର ମହାରଥୀଙ୍କ ମାଆ ପ୍ରତିଭା ।
ଅନ୍ୟପଟେ ପିପିଲିରେ ବହୁଛି ରାଜନୀତିର ଝାଞ୍ଚି ପବନ । ତାତି ଯେତିକି ବଢୁଛି ପିପିଲି ପାଣିପାଗ ବି ସେତିକି ତାତୁଛି । ୩ ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ଜଣେ ସ୍ୱାଧୀନ ପ୍ରାର୍ଥୀ ସମେତ ମୋଟ ୪ ଜଣ ପିପିଲି ପାଇଁ ନାମାଙ୍କନ ଭରିଛନ୍ତି । ଆଉ ୟାରି ଭିତରେ ସରିଛି ପରୀକ୍ଷା ପର୍ବର ପ୍ରଥମ ପାହୁଛ । କାଲିଠାରୁ ପିପିଲିରେ ଜୋରଦାର ହେବ ଲଢେଇ । ପ୍ରଚାର ମୈଦାନରେ ଦିଶିବେ ମାଳ ମାଳ ନେତା । ଆଶ୍ରିତ- ଅଜିତ ପୁରୁଣା ନେତା ଥିବାବେଳେ ସାଧାରଣ ନିର୍ବାଚନରେ ବାପାଙ୍କ ସହ ଫାଇଟ କରିଥିଲେ ଆଉ ଉପନିର୍ବାଚନରେ ପୁଅ ସହ ଲଢେଇ କରିବେ । ଯିଏ ରାଜନୀତିରେ ପୂରା ନୂଆ । ତେଣୁ ନୂଆ ପୁରୁଣା ଭିତରେ ପିପିଲିରେ ଫାଇଟ ହେବାକୁ ଥିବାବେଳେ ନୂଆ ଯୋଦ୍ଧାକୁ ହରାଇ ବିଜେପି ଏଥର ବିଜୟ ହେବ ବୋଲି ଆଶା ବାନ୍ଧିଛନ୍ତି ।
ବିଜେଡିକୁ ବିଜେପି ହରାଇବାର ଆଶଙ୍କା ଏଇଥିପାଇଁ ବଢିଛି ଯେହେତୁ ଗତ ନିର୍ବାଚନରେ ବିଜେପିର ଭୋଟ ହାର ବଢିଛି । ଯଦିଓ ପ୍ରଦୀପ ମହାରଥୀଙ୍କ ଦୀର୍ଘ ୩୫ ବର୍ଷର ଅଭେଦ୍ୟ ଗଡକୁ ଆଉ କେହି ପଶି ପାରୁନଥିଲେ ତେଣୁ ବିଜେଡିର ଚିନ୍ତା ନଥିଲା କିନ୍ତୁ ଏଥର ମହାରଥୀଙ୍କ ପରଲୋକ ତାସହ ବିଜେପିର ଭୋଟ ହାର ବୃଦ୍ଧି ବିଜେଡିକୁ ବ୍ୟତିବ୍ୟସ୍ତ କରିଛି । ତେଣୁ ମାଳମାଳ ନେତା ଏବେ ପିପିଲିରେ କ୍ୟାମ୍ପ କରି ରହିଛନ୍ତି । ପାଖାପାଖି ୩୦ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ପିପିଲି ଜଗିଛନ୍ତି । ୱାର୍ଡସ୍ତରରେ ବିଭିନ୍ନ ଟିମ କରି ଶହ ଶହ ନେତାଙ୍କୁ ଗଡ ଜଗାଇଛି ଦଳ । ନୂଆ ଚେହେରାକୁ ଲୋକେ ଭରସି ନପାରି ପୁରୁଣାକୁ ଦେଇପାରନ୍ତି ବୋଲି ବିରୋଧୀ ଆଶା ବାନ୍ଧିଥିବା ବେଳେ ବିଜେଡି କହିଛି ପ୍ରଦୀପଙ୍କ ମୁହଁକୁ ଚାହିଁ ପ୍ରତାପଙ୍କୁ ନିଜର କରିବ ପିପିଲି ।