ମହାରଥୀଙ୍କ ଉତ୍ତରାଧିକାରୀ କିଏ: ମାଆ ନା ପୁଅ?

ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? କିଏ ହେବ ମହାରଥୀଙ୍କ ଉତରାଧିକାରୀ ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପରୋକ୍ଷରେ ନିର୍ବାଚନ ଲଢିବାକୁ ଆଶାୟୀ ଥିବା କହିଛନ୍ତି । ମହାରଥୀଙ୍କ ପତ୍ନୀ ପ୍ରତିଭା ରଥୀ କହିଛନ୍ତି, ଠିକ ସମୟରେ ଠିକ ନିଷ୍ପତି ନେବେ ନବୀନ । ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଜେଡତ ଆରମ୍ଭ କରିଦେଇଛି ସଜବାଜ । ପ୍ରତାପ କେଶରୀ ଦେବଙ୍କୁ ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟି୍ତ୍ୱ ମିଳିଛି ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଜାରି ରହିଛି ।ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେବା କହିବା ପରେ ପ୍ରମୁଖ ରାଜନୈତିକ ଦଳରେ ଅଘୋଷିତ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ଜୁ ଜନତା ଦଳ ପକ୍ଷରୁ ପ୍ରତାପ ଦେବଙ୍କୁ ଦଳୀୟ ନିର୍ବାଚନ ପର୍ୟ୍ୟବେକ୍ଷକ ଘୋଷଣା କରାଯିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରର ମହାରଥୀଙ୍କ ପରିବାର । ଟିକେଟକୁ ନେଇ ମହାରଥୀଙ୍କ ପତ୍ନୀ ଏବଂ ପୁଅଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା ଚର୍ଚ୍ଚା ଆହୁରି ସରଗରମ ହୋଇଛି ।

ସିଧାସଳଖ ନକହିଲେ ବି ପରୋକ୍ଷରେ ଟିକେଟ୍‌ ପାଇଁ ଆଶାୟୀ ଥିବା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଜଣାଇଛନ୍ତି। ସେ କହିଛନ୍ତି, ଦଳ ଯାହାକୁ ନିଷ୍ପତ୍ତି ନେବ, ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହାବି ନିଷ୍ପତ୍ତି ନେବ ମୁଁ ଓ ମା’ ଆମେ ତାଙ୍କୁ ସମର୍ଥନ ଜଣାଇବୁ। ମାଟି ପାଇଁ କାମ କରୁଥିଲି କରିବି । ଟିକେଟ ଆଶାରେ କେବେ ମୁଁ ମାଟି ପାଇଁ କାମ କରିନାହିଁ । ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି, ଅଭିଜ୍ଞତା ବି ଅଛି। ମା’ଙ୍କର ବି ନିର୍ବାଚନ ଅଭିଜ୍ଞତା ଥିବା କହିଛନ୍ତି ରୁଦ୍ର ମହାରଥୀ । ଟିକେଟ ପାଇଁ ମା ଓ ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ନେଇ ସୋସିଆଲ ମିଡ଼ିଆରେ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୁଅ ରୁଦ୍ର ପ୍ରତାପ । ପ୍ରାର୍ଥୀ କିଏ ହେବ ସେନେଇ ମୋ ଓ ମାଙ୍କ ମଧ୍ୟରେ ଆଲୋଚନା ହୋଇନାହିଁ, ଏପରିକି ବିବାଦ ମଧ୍ୟ ନାହିଁ । ଫାଇଦା ଉଠାଇବାକୁ ବିରୋଧୀ ଏଭଳି ଅପପ୍ରଚାର କରୁଛନ୍ତି ବୋଲି ରୁଦ୍ର ମହାରଥୀ କହିଛନ୍ତି । ସେପଟେ ପ୍ରତିଭା ମହାରଥୀ କହିଛନ୍ତି , ସଠିକ ସମୟରେ ସଠିକ ନିଷ୍ପତି ନେବେ ନବୀନ ପଟ୍ଟନାୟକ ।

Comments (0)
Add Comment